Unknown

ପୂଜାରିଣୀ

 

ଡକ୍ଟର ମାୟାଧର ମାନସିଂହ

ମୋର ବିଜ୍ଞ ଓ ବୈଷ୍ଣବ ବନ୍ଧୁ

ଶ୍ରୀଯୁକ୍ତ ରତ୍ନାକର ଷଡଙ୍ଗୀ

କରକମଳେଷୁ––

                  ଲେଖକ

 

ଆଦ୍ୟ ଭାଷା

ଅବାଙ୍ ମାନସଗୋଚର ଭଗବାନଙ୍କୁ ହିନ୍ଦୁ ସାଧକ ଓ ଭକ୍ତ ଯୁଗେ ଯୁଗେ ମୃତ୍ କାଷ୍ଠ ପାଷାଣର ପ୍ରତିମା ମଧ୍ୟରେ ଲାଭ କରି ଆସିଛନ୍ତି ଏ ଯୁଗର ବିଜ୍ଞାନ ପ୍ରଭାବିତ ଲୋକେ ଭଗବାନ୍ ବା ତାଙ୍କର ବ୍ୟକ୍ତିତ୍ୱକୁ ସନ୍ଦେହ କରିପାରନ୍ତି; କିନ୍ତୁ ଏଇ ଯୁଗରେ ଦକ୍ଷିଣେଶ୍ୱର ଋଷି ରାମକୃଷ୍ଣ ପରମହଂସଙ୍କ ଜୀବନରେ ଯାହା ଘଟିଯାଇଛି, ସେଥିରେ ଅବିଶ୍ୱାସୀମାନଙ୍କର ଚକ୍ଷୁ ଫିଟିବାର କଥା- ମାନବାତ୍ମାର ପ୍ରଣୟ- କ୍ଷୁଧା ନିବୃତ୍ତ କରିବା ପାଇଁ ଭଗବାନ୍ ଯେ ଇନ୍ଦ୍ରୟଗ୍ରାହ୍ୟ ରୂପେ ପରିଗ୍ରହ କରିଥାନ୍ତି, ଏ ବିଚିତ୍ର ସତ୍ୟ ତାଙ୍କ ଜୀବନରେ ଉପଲବ୍ଧ ହୋଇଅଛି

 

ଏ ପୁସ୍ତକରେ ମୁଁ ଏପରି ଏର ଘଟଣା ବର୍ଣ୍ଣନା କରିଅଛି l କିମ୍ୱଦନ୍ତୀ ଅଛି ଯେ ସତ୍ୟବାଦୀର ସାକ୍ଷିଗୋପାଳ ସେଇ ଗ୍ରାମର କନୈକ ବ୍ରାହ୍ମଣର ସୁନ୍ଦରୀ କନ୍ୟା ଲକ୍ଷ୍ମୀର ପ୍ରେମରେ ଆକୃଷ୍ଟ ହୁଅନ୍ତି l ପଣ୍ଡାମାନେ ଅନେକ ସମୟରେ ଦେବତାଙ୍କର ବେଣୁ ଲକ୍ଷ୍ମୀର ଗୃହରେ ପାଇଲେ l ଏହିଭଳି ଆହୁରି କେତେକ ସଙ୍କେତରୁ ଦେଉଳର କର୍ତ୍ତୃପକ୍ଷ ଦେବତାଙ୍କୁ ରାଧା ବିରହିତ ଭାବି ରାଧାଙ୍କର ସ୍ୱର୍ଣ୍ଣ ପ୍ରତିମା ଗଢାଇବାକୁ ଲାଗିଲେ l ପ୍ରତିମା ଆରମ୍ଭ ଦିନରୁ ଲକ୍ଷ୍ମୀର ଜ୍ୱର ହେଲା ଏବଂ ପ୍ରତିମା ସମ୍ପୂର୍ଣ୍ଣ ହେବା ମାତ୍ରକେ ଲକ୍ଷ୍ମୀର ମୃତ୍ୟୁ ହେଲା l ଉକ୍ତ ପ୍ରତିମା ବର୍ତ୍ତମାନ ସାକ୍ଷୀଗୋପାଳଙ୍କ ସଖୀ ରୂପେ ପାର୍ଶ୍ୱ ମଣ୍ଡନ କରୁ୍ଛନ୍ତ l

 

ରାଧାନାଥ “ସାକ୍ଷୀଗୋପୀନାଥ ହୃଦୟ ହାରଣୀ, ଦ୍ୱିଜ କନ୍ୟା ଲକ୍ଷ୍ମୀ” ର କଥା ଚିଲିକାରେ ଉଲ୍ଲେଖ କରି ତାକୁ ଅମର କରି ଯାଇଅଛନ୍ତି l ଏ ବିଚିତ୍ର ଘଟଣା ଓ ଏଇ ମହୀୟସୀ ବାଳିକା ଲେଖକକର କଳ୍ପନାରେ ଗଭୀର ରେଖାପାତ କରିଥିଲେ l ଏହି ନଗଣ୍ୟ ରଚନାରେ ମୁଁ ସେଇ କଳ୍ପନାକୁ ଯଥାଶକ୍ତି ରୂପ ଦାନ କରିବାକୁ ଚେଷ୍ଟା କରିଅଛି l

 

ଲକ୍ଷ୍ମୀର ପିତାମାତାଙ୍କ ନାମ ଜାଣିବାକୁ ମୁଁ ସେଇ ବଂଶର ବର୍ତ୍ତମାନ ବଂଶଧରଙ୍କ ନିକଟକୁ ପତ୍ର ଲେଖିଥିଲି, କିନ୍ତୁ ଉତ୍ତର ପାଇଲିନାହିଁ l ଶେଷରେ ମୋର ଜଣେ ବନ୍ଧୁ ତା’ର ପିତାଙ୍କ ନାମ ବେଲେଶ୍ୱର ମାହାପାତ୍ର ବୋଲି କହିଲେ–ମୁଁ ତାହା ହିଁ ରଖିଛି l ଅନ୍ୟସବୁ ଚରିତ୍ର କାଳ୍ପନିକ l

ମାୟାଧର ମାନସିଂହ

 

ନବ ସଂସ୍କରଣର ଭୂମିକା

ଏହା ବୋଧହୁଏ ‘ ପୂଜାରିଣୀ’ର ଚତୁର୍ଥ ସଂସ୍କରଣ l ପ୍ରାୟ ୨୩ l ୨୪ ବର୍ଷ ତଳେ ସମ୍ୱବତଃ ଏମ. ଏ. ପଢୁଥିବାବେଳେ ଏ ନାଟକଟି ଲେଖିଥିଲି l ସବୁଜ ସାବିତ୍ୟ ସମିତିର ପ୍ରତିଷ୍ଠାତା ଗୁଣଗ୍ରାହୀ ଶରତ୍ ଚନ୍ଦ୍ର ମୁର୍ଖାଜୀଙ୍କ ହାତରେ ଭାଗ୍ୟକୁ ପଡିବାରୁ ଏହା ଲେଖାହେବାର ଅନତିବିଳମ୍ୱରେ ମୁଦ୍ରିତ ଆକାରରେ ପ୍ରକାଶିତ ହୋଇ ପାରିଥିଲା l ନଚେତ୍ ଏହା ଯେ କେବେ ଛପା ହେବ, ତା ମୁଁ ସହଜରେ କଳ୍ପନା କରିପାରୁ ନ ଥିଲି l ସେତେବେଳେ ମୁଁ ପାଟନାରେ ଛାତ୍ର ଥାଏଁ l ଖରାଛୁଟି ହେବା ଉପରେ l ଓଡିଶାକୁ ଫେରିଆସିବାକୁ ବ୍ୟାକୁଳ l ସେହି ଛୁଟିରେ ମୋର ମଧ୍ୟ ପରିଣୀତ ହେବାର କଥା l ଏଇ ସମୟରେ ଶରତ୍ ବାବୁଙ୍କ ଠାରୁ ଖଣ୍ଡିଏ ପୋଷ୍ଟକାର୍ଡ ଓ ଦଶଟି ଟଙ୍କା ମନିଅର୍ଡରରେ ପାଇଲି lଶରତ୍ ବାବୁ ଚିଠିରେ ଲେଖିଥିଲେ ଯେ, ଦଶଟଙ୍କା ଅବଶ୍ୟ ଏ ନାଟକ’ର ମୂଲ୍ୟ ନୁହେଁ l କିନ୍ତୁ ତାଙ୍କ ପକ୍ଷରେ ଆଉ ଦେବା ସେକାଳରେ ସମ୍ଭବ ହେବ ନାହିଁ l ଏ ବହି ବା ମୋର ଅନ୍ୟାନ୍ୟ ବହିରୁ ମୋର କି ଆର୍ଥିକ ଲାଭ ହୋଇଛି ମୁଁ କହିପାରିବି ନାହିଁ l କିନ୍ତୁ ଶରତ୍ ବାବୁଙ୍କ ସେହି ଦଶ ଟଙ୍କାର ମୂଲ୍ୟ ମୁଁ ଭୁଲି ପାରିବି ନାହିଁ l ଏଯାବତ୍ ତାହା ହଁ ଏ ଜୀବନର ଶ୍ରେଷ୍ଠ ସାହିତ୍ୟିକ ପୁରସ୍କାର l ଶରତ୍ ବାବୁଙ୍କ ବହିଟିକ ପରିପାଟିତ କରି ଛପାଇଥିଲେ ମଧ୍ୟ, ଏବଂ ମୋର ବିବାହ ଯାତ୍ରାବେଳକୁ ଛପା ବହିଟି ମୋର ହସ୍ତଗତ ହୋଇଥିଲା l ମୋର ଏସବୁ ସୁଖମୟ ସ୍ଣୃତି ଯେ ଏବହିଟି ସଙ୍ଗେ ଜଡିତ, ସେଥିପାଇଁ ମୁଁ ଶ୍ରୀଯୁକ୍ତ ଶରତଚନ୍ଦ୍ର ମୁଖାର୍ଜୀ ନିକଟରେ କୃତଜ୍ଞ l ସେହି କୃତଜ୍ଞତା ସ୍ୱୀକାର କରି ଆନନ୍ଦ ଉପଭୋଗ କରିବା ପାଇଁ ହିଁ ଏଠି ଏହି ଘଟଣାଗୁଡିକ ଲେଖି ରଖିଲି l

 

ନାଟିକାଟିର ବିଷୟବସ୍ତୁ ଉପରେ ମଧ୍ୟ କିଛି କହି ରଖେ l ପ୍ରଥମ ସଂସ୍କରଣର ଭୂମିକାରେ ଏହି ଅତିଭୌତିକ ଘଟଣାର ସମ୍ଭାବ୍ୟତା ନେଇ ମୁଁ କିଛି କହିଛି l କିନ୍ତୁ ସାକ୍ଷିଗୋପାଳ ଓ ଲକ୍ଷ୍ମୀର ଉପାଖ୍ୟାନ ଏକ ଉପଲକ୍ଷ ମାତ୍ର l ହିନ୍ଦୁ ଦେବାଦେବୀର ମାହାତ୍ମ୍ୟ ବା ବୈଷ୍ଣବ ଭକ୍ତମାର୍ଗର ପ୍ରଚାର ପାଇଁ ମୁଁ ଏ ନାଟକା ଲେଖି ନଥିଲି l ମୁଁ ପ୍ରକୃତରେ ଲେଖିଥିଲି ମାନବିକ ମନସ୍ତତ୍ତ୍ୱର ଏକ ରହସ୍ୟମୟ ବିଭାବକୁ ରୂପ ଦେବାପାଇଁ l ସେହି ବିଭାବଟି ହେଉଛି–ମନୁଷ୍ୟ–ଚିତ୍ତ ଯେ ବେଳେବେଳେ ଉନ୍ଣାନ ହୋଇ ଉଠେ, ଯାହା ପ୍ରତ୍ୟକ୍ଷ, ଯାହା ଦୃଶ୍ୟ ,ସେଥିରେ ମନ୍ତୁଷ୍ଟ ନ ହୋଇ, ସେଥିପ୍ରତି ଆକୃଷ୍ଚ ନ ହୋଇ ଯାହା ଅଜ୍ଞାତ, ଯାହା ଅଦୃଷ୍ଟ, ଯାହା ଦୂର ଓ ଦୂରଧିଗମ୍ୟ, ତାହାରି ପାଇଁ ଗୃହ ଓ ସମାଜର ସମସ୍ତ ନିର୍ଭରତା ଓ ସ୍ୱାଚ୍ଛନ୍ଦ୍ୟ ପରିତ୍ୟାଗ ରକି ପଳାୟନ କରିବା lତରୁଣ ବୟସରେ ଏ ଭାବ ପ୍ରତ୍ୟେକଙ୍କ ଜୀବନରେ ପ୍ରାୟ ଊଣା– ଅଧିକ ଦେଖା ଦିଏ l ମୋର ମନେ ହୁଏ ମାନବ– ପ୍ରାଣରେ ଏହା ଉଚ୍ଚତର ଅଧ୍ୟାତ୍ମିକ ଜୀବନର ଅଙ୍କୁରୋନ୍ମେଷ l ସ୍ଥୂଳପ୍ରତି, ନିକଟପ୍ରତି, ପରିଚିତପ୍ରତି ବୀରସ୍ମୃହ ହୋଇ ସୂକ୍ଷ୍ମପ୍ରତି, ଦୂରପ୍ରତି , ଅପରିଚିତପ୍ରତି ଗଭୀର ଆକର୍ଷଣ ମାନବ ଚିତ୍ତରେ ଦେବତ୍ୱର କ୍ରିୟା l ସାଧାରଣତଃ ଏହି ଦେବାଗ୍ନିବିନ୍ଦୁ ଥରେ ଜଳି ଉଠି ସମାଜ, କୁଟୁମ୍ୱ ଓ,ସଂସାରର ନାନା ଜଞ଼୍ଜାଳ, ନାନା ବାଧା, ନାନା ପ୍ରଲୋଭନା ଓ ବନ୍ଧନର ପାଉଁଶଗଦାତଳେ ପୁଣି ପୋତି ହୋଇ ଶୀତଳ ହୋଇଯାଏ l କିନ୍ତୁ ଭଗ୍ୟବାନ୍ କେତେକ କୌଣସି ମତେ ତାକୁ ଲିଭିଯିବାକୁ ଦିଅନ୍ତି ନାହିଁ l ସେହି କେତେକ ହେଉଛନ୍ତି ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ରାମକୃଷ୍ଣ, ବିବେକାନନ୍ଦ, ଗାନ୍ଧି ଅବିରନ୍ଦ,ପୁଣି ଦାନ୍ତେ , ଶେଲୀ, କାଳିଦାସ , ରବୀନ୍ଦ୍ର l ସେହିମାନେ ଅଚ୍ଛନ୍ତା ଓ କୋଣାର୍କ ସ୍ରଷ୍ଟା––ବାହାର ଜୀବନର ଦୈନ୍ୟ ନିର୍ଯାତନାର ଆବରଣ ତଳେ ଯେଉଁମାନେ ନିଜର କଳ୍ପଲୋକକୁ ପ୍ରାଣପଣେ ବଞ୍ଚାଇ ରଖିଯାଇଛନ୍ତି ଏବଂ ସେହି ସୂତ୍ରରେ ମାନବୀୟ ଐତିହ୍ୟକୁ କରିଯାଇଛନ୍ତି ଶ୍ରୀମନ୍ତ ଓ ମହିମାମୟ l

 

ଲେଖକର ବୟସ ଯେତେବେଳେ ୨୩ l ୨୪ ବର୍ଷ ମାତ୍ର, ସେତେବେଳେ ତାର ମନୋଲୋବରେ ଏଇ ଭାବଟି ଯେ ଦେଖାଦେଇଥିବ ତାହା ସ୍ୱାଭାବିକ, ଏ କଥା ପାଠକ ମାନେ ଧରିନେବେ ବୋଲି ଆଶା କରେଁ l ସେତେକିବେଳେ ଆଈରିଶ୍ କବି ଇଏଟସଙ୍କ କୌଣସି ଏକ ଛୋଟ ନାଟକରେ ଏଇ ଭାବଟିର ଆଭାସ ପାଇ, ମୋର ନିଜର ମାନସିକ କ୍ରିୟା ପାଇଁ ମୁଁ ଯେପରି, ସମର୍ଥକ ପାଇଲି l ତା’ ପରେ ସମ୍ପୂର୍ଣ୍ଣ ଓଡିଆ ଭୂମିକାରେ ଏଇ ଭାବଟିକୁ କିପରି ରୂପ ଦିଆ ଯାଇପାରେ ଚିନ୍ତା କରୁ କରୁ ମୁଁ ଏହି ସାକ୍ଷିଗୋପାଳ ଲକ୍ଷ୍ମୀ କିଂବଦନ୍ତୀ କୁ ପରୀକ୍ଷା ପାଇଁ ଗ୍ରହଣ କରିନେଲି l ଲକ୍ଷ୍ମୀ ପ୍ରକୃତରେ ଏଠି ଜଣେ ପଣ୍ଡାର କନ୍ୟା ମାତ୍ର ବା ଦେବତା, ସାକ୍ଷିଗୋପଳ ମନ୍ଦିରରେ ବିଜେ ଥିବା ,ସେହି କୃଷ୍ଣପ୍ରସ୍ତରର ମୂର୍ତ୍ତି ନୁହେଁ l ଏଠି ଲକ୍ଷ୍ମୀ ସାନ୍ତ ମାନବାତ୍ମା, ଦେବତା ହେଉଛି ସେହି ଅନନ୍ତ, ଅଜ୍ଞାତ, ସୁଦୂର, ବିରାଟର ଚିର ଆକର୍ଷଣ l ମୂଳଭାବଟି ହେଲା ଏହି l ଭାବଟି ଗୋଟିଏ ପରିଚିତ କିଂବଦନ୍ତୀକୁ ଆଶ୍ରୟ କରିଥିବାରୁ, ରଚନାକୁ ସେହି କିଂବଦନ୍ତୀର ରଙ୍ଗରେ ରଞ୍ଜିତ କରିବାକୁ ଚେଷ୍ଟା କରାଯାଇଛି ମାତ୍ର l

 

‘ପୂଜାରିଣୀ’ଲେଖା ହେଲା ପର୍ଯ୍ୟନ୍ତ ମୁଁ କେବଳ ଗୋପବନ୍ଧୁ ଙ୍କ ସତ୍ୟବାଦୀ ସ୍କୁଲରେ ବକୁଳବନ ଦେଖିଥିଲି l ସାକ୍ଷିଗୋପାଳ ବିଗ୍ରହ ଦେଖି ନ ଥିଲି l ଦେଖିବାର ବିଶେଷ ଆଗ୍ରହ କେବେହେଲେ ନ ଥିଲା l ଶୁଣିଥିଲି ମାତ୍ର ଯେ ଏହା ଏକ କମନୀୟ ମୂର୍ତ୍ତି l ‘ପୂଜାରିଣୀ’ ରଚନାର ପ୍ରାୟ କୋଡିଏ ବର୍ଷ ପରେ ମୁଁ ଯେତେବେଳେ ଓଡିଶା ସରକାରଙ୍କ ପ୍ରୌଢ ଶିକ୍ଷା ଅଫିସର୍ ଭାବରେ ସତ୍ୟବାଦୀ ଯାଇଥିଲି, ସେତିକିବେଳେ କୌତୁହଳବଶତଃ ମନ୍ଦିରଭିତରକୁ ଯାଇ ଗୋପାଳ ଓ ଲକ୍ଷ୍ମୀଙ୍କ ମୂର୍ତ୍ତୀ ଦେଖିଥିଲି l ଦେଖି ବଡ ନିରାଶ ହେଲି l ମୋର ମାନସିକ ପ୍ରତିକ୍ରିୟା କବି ଉଆଡସ୍ ଉଆର୍ଥଙ୍କ ୟାରୋ ଭିଜିଟେଡ୍ ଓ ୟାରୋ ଅନଭିଜିଟେଡ୍ ପରି ହେଲା l କିନ୍ତୁ ଯେହେତୁ ମନ୍ଦିରସ୍ଥ ବିଗ୍ରହ ଏଇ ନାଟିକାର ପ୍ରକୃତ ନାୟକ ନାୟିକା ନୁହନ୍ତି, ତେଣୁ ମୋର ଅବଶୋଷର କାରଣ ନ ଥିଲା l

 

‘ପୂଜାରିଣୀ’ କେଉଁ କେଉଠିଁ ଅଭିନୀତ ହୋଇଥିବା ମୁଁ ଜାଣେ ନା l କିନ୍ତୁ ପୁରୀ ଓ ସମ୍ୱଲପୁରର ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀମାନେ ଏହାର ଅଭିନୟ କରିଥିଲେ ତାହା ମୁଁ ନିଜେ ଦେଖିଛି l ସମ୍ୱଲପୁରରେ ଏହାର ଅଭିନୟ ବେଳେ ‘ପୂଜାରିଣୀ’କୁ ନୃତ୍ୟ ନାତିକା କରିବା ପାଇଁ ନୃତ୍ୟର ପାଶ୍ତାତ୍ ଭୂମିକା ଭାବରେ ମୋତେ ଠାଏ ଦି’ଠାରେ ଆଉ କିଛି ଯୋଗ କରିଦେବାକୁ ହୋଇଥିଲା l ପରେ ଯେଉଁମାନେ ଏହାକୁ ନୃତ୍ୟ ନାଟିକା ରୂପେ ଏଭିନ୍ନୀତ କରିବେ, ସେମାନଙ୍କ ସୁବିଧା ପାଇଁ ସେହି ଯୋଡା ଅଂଶତକ ଏଇ ସଂସ୍କରଣରେ ଦିଆଗଲା l କିନ୍ତୁ ମୂଳ କାବ୍ୟ ନାଟିକାକୁ ପୂର୍ବେ ଯେପରି ଥିଲା ସେଇପରି ଚିହ୍ନି ରଖିବା ପାଇଁ ନୂତନ ଯୋଡା ଅଂଶକୁ [ ] ବନ୍ଧନୀଭିତରେ ରଖାଯାଇଛି l

ସମ୍ୱଲପୁର

 

୩ l ୧0 l ୧୯୫୩

ମାୟାଧର ମାନସିଂହ

 

ସତ୍ୟବାଦୀର ବକୁଳବନ l ଜ୍ୟୋତ୍ସ୍ନା ରାତ୍ରି l ଏକ ବକୁଳବୃକ୍ଷତଳେ

ଦେବତା ଯାକ୍ଷିଗୋପାଳ ଉପବିଷ୍ଟ ଓ ବେଣୁବାଦନରତ l

ଦେବତାଙ୍କର ଜାନୁକୁ ଉପାଧାନ କରି ଦ୍ୱିଜକନ୍ୟା ଲକ୍ଷ୍ମୀ ଶୟନା l

ଦେବତା ବେଣୁବାଦନ ସମାପ୍ତ କଲେ l

ଦେବତା

ମଧୁର ଏ ଜ୍ୟୋତ୍ସ୍ନାରାତ୍ରି ! ଶୋଇ କି ପଡିଲା ?

ଆଗୋ ଲକ୍ଷ୍ମି, ଆଗୋ ଲକ୍ଷ୍ମି, ଚନ୍ଦ୍ରି କା –ମୁଦିର

ଦେଖ ଏ ବକୁଳବନେ l ଆଲୋକ, ଆନ୍ଧାର

ଘନ ବନସ୍ପିତି ମୂଳେ ଚିତ୍ରିତ ବିହାର

 

ପରେ ଶ୍ୟାମ ଘାସ ପରେ l ମନ୍ଦ ସମୀରଣେ

କୋମଳ ବକୁଳଗନ୍ଧ ଭ୍ରମେ ବନାଙ୍ଗନେ

ମତ୍ତ କରି ଇନ୍ଦ୍ରୟରେ l ପ୍ରଫୁଲ୍ଲ ବକୁଳ

ବୃନ୍ତ ତେଜ ରାଶି ରାଶି ଏ ବନ ବଧୂର

 

ବକ୍ଷପରେ କରୁଛନ୍ତି ଦେହ ବିସର୍ଜ୍ଜନ,

ତେଣୁ ଦେଖ ବନତଳ କୁସୁମ ଆଚ୍ଛନ୍ନ l

 

ଏଇ ପୁଣି ତୁମର ଏ ଶୁଭ୍ର ଭାଲ ପଟେ

ବୃନ୍ତ ଚ୍ୟୁତ ପୁଷ୍ପ ଅକ ! କାହା ଭାଗ୍ୟ ଘଟେ

 

ଏ କୁସୁମ ସରି ଏଡେ ମଧୁର ପତନ !

ନେଲି କାଢି ପୁଷ୍ପଗୋଟି !–– ମଦିର –କ୍ଷରଣ

ପିଚ୍ଛିଳ କରିଛି ଗଣ୍ଡେ l

ଏଇ ଶୁଣ ପିକ

ବନୁପ୍ରାନ୍ତେ ଝଙ୍କାରିତ କିରି ନିମିଷେକ

ନୀରବିଲା ନିଜ ନୀଡେ l ରତ୍ନ ଚୀରା ତୀରେ

ବଚ୍ଛିନ୍ନା ଚକୋର କାୟା ବିଳସେ ଗଭୀରେ

ନିଶାର ବିରହ ତାପେ l ଲକ୍ଷ୍ମି, ଉଠ ସଖି

ମୁଁ ଯେ ଖାଲି କଥା କହେ––

ଲକ୍ଷ୍ମୀ

ପଦେ ଗଣ୍ଡ ରଖି

ତୁମର ମୂରଲୀ ଶୁଣି ଚନ୍ଦ୍ରା ଥିଲା ଆସି l

ନିଦ୍ରା–ଜାଗରଣ –ମିଶ୍ର; ମନେ ହେଲା ଭାସି

ଯାଉଠି ମୁଁ କେଉଁ ଦେଶେ ––ଲକ୍ଷ ଲକ୍ଷ ତାରା,

 

ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ ଯହିଁ ଆଲୋକ ଉଜ୍ଜ୍ୱଳ

ସେ ଭୁବନେ ଭ୍ରମୁଛନ୍ତି ଜୀବ ଆଲୋକର l

ସକଳ ଆଲୋକ ପ୍ରାଣୀ ଲକ୍ଷ ଶତ ଶତ

ଚାଲୁଛନ୍ତି ଏକ ଦିଗେ –ରଜତ ପର୍ବତ

ପଥ ପ୍ରାନ୍ତ ଅଛି ଉଭା, ସେବି ଗିରି ପରେ l

ତୁଷାରଧବଳ ଘନ ମେଘମାଳତଳେ

କନକ ମନ୍ଦିର ମଧ୍ୟେ ଦେବତା ବିରାଜେ ;

ବିଦ୍ୟୁତର କଷାଘାତେ ମେଘ ମନ୍ଦ୍ରି ବାଜେ

ଦେବତାର ପୂଜାବେଳେ l ସେଇ ପଥ ଧରି

ମୁହଁ ଗୋ ଚଳିଲି ଯାତ୍ରି ପଦ ଅନୁସରି

ସେ ମନ୍ଦିରେ l କିନ୍ତୁ ବନ୍ଧୁ, ଦେଖିଲି କାହାରେ ?

ତୁମ ଯେ ସେଠାରେ ପୁଣି ! ନୀଳଚନ୍ଦ୍ରି କାରେ

ମଣ୍ଡିତ ଏପରି ଭାଇ, ଏଇ ପୀତବାସ,

ଏଓଇ ବେଣୁ, ଉକ୍ତାଧରେ ଏଇ ମଧୁହାସ––

ଚମକିଲି ଦେଖି ମୁହିଁ ! ହସି ନଟବର,

ମୋର ନାମ ଧରି ଚାଣ୍ଡେ ଧରିଲ ମୋ କର,

ସହାସା ମୋ ତନ୍ଦ୍ରା ଗଲା !––

 

ଦେବତା

ସ୍ୱପ୍ନମାତ୍ର ଜାଣ,

କିଛି ସେ ନୁହଇ, ସଖ, ମନର ଭିଆଣ l

ତନ୍ଦ୍ରାପୂର୍ବେ ମୁଁ ଯେ ଏଇ ଆକାଶେ ଅନାଇ

ଦେଉଥିଲେ ଗୋଟି ଗୋଟି ଜ୍ୟୋତିଷ୍କ ଚିହ୍ନାଇ

ମେଷ, ବୃଷ, ବୃହସ୍ପତି, ଶିକ୍ର ଆଦି କରି

ନିଦ୍ରାବେଶେ ସ୍ମୃତି ତାର, ବୁଝି ଥିବ ଧରି l

ବଡ ଲାଭ ହେଲା କିନ୍ତୁ l କ୍ଷଣକେ ଆସିଲେ

ଚନ୍ଦ୍ର, ସୂର୍ଯ୍ୟ ଗ୍ରହ ଭ୍ରମି l

ଲକ୍ଷ୍ମୀ

ଆଚ୍ଛା ତ କହିଲ !

ତୁମେ କ’ଣ ଭ୍ରମି ନାହିଁ ? କହୁଛନ୍ତି ଜନେ

ତୁମେ ପୁଣି ଅଟ ରାଜା ଭୁବନେ ଭୁବନେ l

ତୁମ ଆଜ୍ଞାବଳେ ଚନ୍ଦ୍ର ସୂର୍ଯ୍ୟ ଦୁଇ ଭାଇ

ଭ୍ରମୁଛନ୍ତି ଦିବାରାତି; ତୁମ ଆଜ୍ଞା ପାଇ

ବାଲୁକାର ବନ୍ଧ ଡେଇଁ ନ ଆସେ ବାରିଧି;

ତୁମେ ସୃଷ୍ଟି କର୍ତ୍ତା, ତୁମେ ଅଟ ମହାବିଧି,

ତୁମେ ପୁଣି ଚଳାଉଛ ନିଖିଳ ଜଗତ,

 

ଲୋମେ ଲୋମେ ପୁଣି ତବ ରାଜେ ଶତ ଶତ

ବ୍ରହ୍ମାଣ୍ଡ, କହନ୍ତି ନନା l ମୋହର ବିଶ୍ୱାସ

ନ ହୁଅଇ ତିଳେ ଏଥି l କହ ପୀତବାସ

କହ ମତେ ସତ୍ୟକଥା––ତୁମେ ବଡ ଏତେ ?

ଦେବତା

ତୁମର କହ ତ ଆଗେ କି ହୁଏ ପରତେ !

ଲକ୍ଷ୍ମୀ

ମୁଁ ଜାଣେ ତୁମର ଖାଲି ପ୍ରିୟ ବୋଲି ମମ,

ନାହିଁ ମୋର ଏ ସଂସାରେ ପ୍ରିୟ ତବ ସମ

କେହି ଜଣେ ଆଉ ଶ୍ୟାମ ! ମନ୍ଦିର ଦେବତା

ହୋଇ ତୁମେ ପୂଜା ପାଅ; ମୁହିଁ ମୋ ମମତା

 

ତୁମ ପଦେ ଦେଲି ତବ ଲକ୍ଷ ଭକ୍ତ ପରି,

କରୁଣା–ବାରିଧି, ଅଧୀନରେ ଦୟା କରି,

ପ୍ରସ୍ତର ପ୍ରତିମା ତୁମେ ପ୍ରିୟରୂପ ଧରି

ଖେଳା କର ମୋହ ସାଥେ l

 

ଦେବତା

ସେହି ଲକ୍ଷ୍ମି, ସତ––

ନୁହେଁ ମୁଁ ସଂସାର-କର୍ତ୍ତା, ବିପୁଳ, ମହତ l

ଜାଣ ମତେ ଖାଲି ପ୍ରାଣର ଭିଖାରୀ l

ଲକ୍ଷ୍ମୀ

ସେନେହ- ଭାଜନ ଆଉ କି ମୁରଲୀଧାରି,

ନାହାନ୍ତି ତୁମର କେହି ? ନଥିଲେ ବା କେହି ?

କେଉଁ ଗୁଣେ ଅଧୀନାରେ ହେଲ ହେ ସେନେହି ?

କାହିଁପାଇଁ ଏତେ ଦୟା ?

ଦେବତା

ଶୁଣ ଲକ୍ଷ୍ମି ମୋର

ମୋହର ଚରିତ୍ର ତେବେ l ପ୍ରଣୟ ବିଭୋର

ନିତ୍ୟ ମୁହିଁ କାଟେ କାଳ l ଏଇ ଯେ ମନ୍ଦିରେ

ଲକ୍ଷ ଲକ୍ଷ ଭକ୍ତଜନ ଉଚିତ ବିଧିରେ

ନିତ୍ୟ ମୋର କରିଥାନ୍ତି ଷୋଡଶ ଅର୍ଚ୍ଚନା,

ଏଥିରେ କି ତୁଷ୍ଟି ମୁହିଁ ? ଅନ୍ତର ବେଦନା

ଶମେ ଖାଲି କେବେ ଯେବେ ଲକ୍ଷ ଭକ୍ତଜନେ

ଆସେ କେହି ଅନ୍ତର୍ଯ୍ୟାମୀ ବନ୍ଧୁ ମମ ଜଣେ,

ନୟନେ ଆନନ୍ଦବାର, ମୁଖେ ମୋର ନାମ,

ହୃଦୟେ ଯାଚନା ମୋର ପ୍ରଣୟ ନିଷ୍କାମ,

ପଛେ ରଖି ପ୍ରପଞ୍ଚର ତ୍ୟକ୍ତ ମାୟା ମୋହ

ପିତ୍ର କନ୍ୟା, ନାରୀ ନର, କାଞ୍ଚନ ସମ୍ମୋହ,

 

ପଥର ଭିଖାରୀ ଖାଲି ମୋର ପ୍ରୀତି ଲାଗି

ସେଇ ଶମେ କ୍ଷୂଧା ମୋର l ବର ଅନୁରାଗୀ

ଦାସ ରୂପେ ଲାଭେ ମତେ l ପ୍ରେମ ଲାଗି ତାର

ସହେ ମୁଁ ଭର୍ତ୍ସନା, ଅଭିମାନ ଅହଙ୍କାର

 

ତିଚ୍ଛ କରି ତାହା ଲାଗି l ପ୍ରଣୟ କ୍ଷୁଧିତ

ଚିରଦିନ ପ୍ରାଣ ମୋର l ଉତ୍କଣ୍ଠ ମୋ ଚିତ୍ତ

ରହି ଥାଏ ଚାହିଁ କେବେ ଆସିବ କେ ପ୍ରିୟ,

ସଖା ବୋଲି ଡାକି ମତେ ‘ମୋର ପ୍ରେମ ଦିଅ’

 

କହିବି ନୟନ ନୀରେ l

ଯେ ଦିନ ପ୍ରଥମେ

ମୋ ମନ୍ଦିରେ ଆଗମନ କଲ ଲକ୍ଷ୍ମୀ, ତୁମେ

ବୃଦ୍ଧ ପିତା ଗହଣରେ, ସହାସା ମୋ ଚିତ୍ତ

 

 

ଚମକି ଉଠିଲା କ୍ଷଣେ; ଶୟନ ଉତ୍ ଥିତ

ସମ ମୁଁ ଭାବିଲି ନିଜେ, ମନେ ହେଲା ସତେ

ଯୁଗ ଯୁଗ ପରିଚିତ ବନ୍ଧୁ ମୋ ପୁରତେ

ସହାସା ହୋଇଲା ଉଭା, ବିରହର ଶେଷେ !

 

ନିର୍ମ୍ମଳ ହୃଦୟେ, କ୍ଷୁଦ୍ର ପୂଜାରିଣୀ ବେଶେ

ମାଳା ରଖି ପାଦେ ମୋର, କ୍ଷୁଦ୍ର କର ଦୁଇ

ଏକ କରି, ମଥା ନୋଇଁ ଶେଷେ ଭୂମି ଛୁଇଁ

ପୁଣି ଯେବେ ନିର୍ନିମେଷେ ଚାହିଁଲ ମୋ ମୁଖେ,

 

ପ୍ରସ୍ତରଶରୀର ମୋର ମର୍ମ୍ମରିଲା ସୁଖେ;

ଉତ୍କଣ୍ଠ ହୋଇଲା ଚିତ୍ତ ଭାଷିବାକୁ ବାଣୀ,

ଡାକିବାକୁ ସଖୀ ବୋଲି l––

ଲକ୍ଷ୍ମୀ

ବିତିତ୍ର କାହାଣୀ !

ମୋର ସବୁ ମନେ ଅଛି ! ଦେଖିଲି ପ୍ରଥମେ

ଯେବେ ହେ ମନ୍ଦିରେ ତବ ମୂରତୀରେ; ତୁମେ

ଲାଗିଲା ଯେପରି ମୋର ଚିହ୍ନା ଲୋକ ପରି

 

 

ହୋଇଅଛି ପରିଚୟ ବହୁ ଦିନ ଧରି,

ବହୁତ ଦିନର ବନ୍ଧୁ ! ହୋଇ ନାହିଁ କଥା

ବହୁ ଦିନୁଁ, ତେଣୁ ଦେଖି ଉଠିଲା ମମତା

ସହସା ଉତ୍ତଳ ହୋଇ ! କିନ୍ତୁ ତୁମ କଥା

ଶୁଣୁଥାଇ ନିତ୍ୟ ଘରେ; ଶାସ୍ତ୍ରର ବାରତା

ନନା ମତେ ସନ୍ଧ୍ୟାକାଳେ ଶୁଣାନ୍ତି ବସାଇ,

ତାଙ୍କ ମୁଖେ ତୁମ କଥା ନିତ୍ୟ ଶୁଣୁଥାଇ l

ବୃନ୍ଦାବନେ ଥିଲେ ତୁମେ, ରାଧା ବୋଲି ତବ

ପ୍ରଣୟିନୀ ଥିଲେ କେହି, ମଧୁ ଅନୁଭବ

ଘଚିଛି ତୁମର ତହିଁ –ରାଧା ଲାଗି ତୁମେ

ଅପରର ପଦ ଧରି କାନ୍ଦିଛ ସରମେ,

ରାଧାର ଚରଣ ଧରି ମାଗିଅଛ କ୍ଷମା;

ସତ୍ୟ ସବୁ ଏ କାହାଣୀ ?

ଦେବତା

ମିଥ୍ୟା ନୁହେ ଜେମା l

 

ଲକ୍ଷ୍ମୀ

ସତ୍ୟ ବୋଲି ମଣି ସବୁ, ଶୁଣି ସେ ,ସଙ୍ଗତି

ଅନ୍ତରେ ଅସୀମ ଭକ୍ତି ହେଲା ତୁମପ୍ରତି l

ଅନ୍ତରେ ଭାବିଲି ଖାଲି ମୁଁ ହେଲେ ରାଧିକା

ହୋଇଥାନ୍ତି; କୃଷ୍ଣଲାଗି ହୋଇ ପ୍ରାଣ ବିକା

 

ଘର ଛାଡି ଯାନ୍ତି ଚାଲି l କିନ୍ତୁ ପୀତବାସ,

କାହାନ୍ତି ରାଧିକା ତବ ? କାହିଁ ସେହି ରାସ

ଶ୍ରଦ୍ଧାବତୀ ଗୋପୀ ମେଳେ ?

ଦେବତା

ରାଧା ପ୍ରିୟତମା

ଲକ୍ଷ୍ମୀ ରୂପେ–––

ଲକ୍ଷ୍ମୀ

ଚାଟୁ କଲେ ନାହିଁ ଜାଣ କ୍ଷମା !

ଯିବ ଚାଲି ଗୃହେ ଫେରି !

 

 

ଦେବତା

ଶୁଣ ସତ୍ୟକଥା,

ତୁମ ଦେହେ ଫୁଟିଅଛି ରାଧାର ମମତା l

ବହୁ ଦିନୁ ରାଧିକାର ହରାଇଛି ସଖି,

ମଧୁର ମୋ ବୃନ୍ଦାବନ ପଛେ ମୋର ରଖି

ଆସିଲି ମୁଁ ସତ୍ୟ ରଖି ଏ ବକୁଳ ବନେ l

 

ଯାପୁଥିଲେ ଦିନ ମୋର ଅତି ନିକାଞ୍ଚନେ

ରାଧାହୀନ, ଗୋପୀହୀନ l ମୋର ଲାଗି ପୁଣି l

ରାଧା ତେଣେ ଦୂରେ ରହି ହେଉଥିଲା ଗୁଣି

ମୋର ସଙ୍ଗ l ଅବଶେଷେ ଶରୀରେ ତୁମର

ଫେରିଇଛି ବିଧି ରାଧା ଜାଣୁଛି ନିଜର l

କିନ୍ତୁ ଲକ୍ଷ୍ମୀ , ସତେ କଣ ମତେ ଭଲ ପାଅ ?

ସନ୍ଦେହ ଲାଗଇ ମତେ ନିତ୍ୟ ଆସୁଥାଅ

ପ୍ରଥମେ, କିନ୍ତୁ ଗୋ ଏବେ ଆସିବାକୁ ଥରେ:

କେତେ ମୁଁ ମିନତି କରେ l

 

 

ଲକ୍ଷ୍ମୀ

ରଖ ରଖ ଘରେ

ତୁମର ସେ ଛଳ ! ଲଜ୍ଜା ମୋର ନାହିଁ ?

ଯୁବତୀ ମୁଁ ! ଘରେ ମୋର ବାର ବାର ଗ୍ରାମେ ଅପଯଶ,

କେମନ୍ତେ କହିଲ ମୋର ହୋଇବ ସାହସ

ନିଶୀଥେ ହେବାକୁ ଘରୁ ବାହାର ଏ ବନେ ?

ତାପରେ ସେ ଥର ମୋର ଭାଙ୍ଗିଲ କଙ୍କଣେ l

ତୁମର ଏ ବେଣୁଘାତ,ଚଦ୍ରିକା ସେବାରେ

ଅଜ୍ଞତେ ମୋ କବରୀରେ ଗୁଞ୍ଜି, ହେଲା କାଳ

 

ଏବେ ପୁଣି ସେହି ଦିନ ଆମ ଘର ପଥେ

ମିଳିଲା ତୁମର ବେଣୁ ! ସାରା ଗ୍ରାମ ରଟେ

ଲକ୍ଷ୍ମୀ ଆଉ ଦେବତାର ଗୋପନ ପ୍ରଣୟ !

ଅନ୍ତର ବନ୍ଧୁ ହେ, ସିନା ନାହିଁ ଧରେ ଥୟ

 

ତୁମର ଏ କୃପା ଲଭି; ଇତରଙ୍କ ଆଗେ

କିପରି ଗର୍ବିଣୀ ହେବି ଏହି ଅନୁରାଗେ ?

ବଡ ଲଜ୍ଜା ହୁଏ ମୋର ! ଲୋକମେଳେ ଥାଇ

ସରମେ ଏ ମନ୍ଦିରରେ ଚାହିଁପାରେ ନାହିଁ l

 

ତାପରେ ଜାଣ ତ ତୁମେ ବିବାହିତା ମତେ,

କିବା ଅପଯଶେ ମତେ ଟାଣି ରଖ ସତେ !

ଏଥିରେ କହୁଛ ପୁଣି ନ ଆସିଲି ବୋଲି ?

ଯାଏଁ ଏବେ ଗୃହେ ଫେରି; ଧର ମତେ ତୋଳି,

ବଡ ହିଁ ଅବଶ ଲାଗେ !

ଦେବତା

ଆଉ ଆଗମନ

କେବେ ହେବ ?

ଲକ୍ଷ୍ମୀ

ଆୟତ୍ତରେ ନାହିଁ ନିଜ ମନ,

ତେଣୁ ପାରେ ନାହିଁ କହି l ସେଇ କହୁ କିନା

ଯା’ ଅଙ୍ଗୁଳିଘାତେ ବାଜେ ମୂକ ଚିତ୍ତ ବିଣା

ନିରାଶ୍ରିତ ବାଳିକାର l ହେ ବନ୍ଧୁ, ହେ ସଖା,

 

କେଉଁ ଅପରାଧେ ମମ ପ୍ରେମେ କର ଶଙ୍କା ?

ଅନ୍ତର ଜାଣେ ହେ ମୋର , ସଖା ଅନ୍ତର୍ଯ୍ୟାମୀ l

ତୁମ ପଦେ ଚିତ୍ତ ମୋର ନିତ୍ୟ ଅନୁଗାମୀ l

ସକଳ ସମ୍ପଦ ମମ ହୃଦୟ ଦେଇଛି

ତୁମର ଏ ପଦ୍ମପାଦେ l ଅହଙ୍କାର କିଛି

ଅଛି ଯଦି ସେ କେବଳ ତୁମ ଅନୁଗ୍ରହ

ସେହି ଦିଏ ମତେ ବଳ; କ୍ରୀଡା ତବ ସହ

ରଚିବାକୁ ସଖା ଭାବି l ଦିଏ ସେ ସାହସ

ଫିଙ୍ଗିବାକୁ ପୁଣି ତବ ମିନତି ସରସ l

ସେସବୁ କ୍ଷମିବ ବନ୍ଧୁ––

ଦେବତା

ଆସିଲେ କ୍ଷମିବ,

ନ ଆସିଲେ–

ଲକ୍ଷ୍ମୀ

ଆଚ୍ଛା ତେବେ ନିଶ୍ଚୟ ଆସିବ l

ପୂଜାଛଳେ ନିକଟରେ ବିଜନ ସମୟେ l

ଦେବତା

ଭଲ କଥା, ଶୁଣି କିନ୍ତୁ ବେଣୁ କିସ କହେ––

ଦିଅ କିଛି ନର୍ମ ସୁଖ l ଗୃହେ ଯିବ ଫେରି ?

ଦେଖୁଛ ଚନ୍ଦ୍ରିକା କେହ୍ନେ ଭୋଗୁଅଛି କେଳି

ଏ ବନର ପତ୍ରେ ପତ୍ରେ ? ବୃକ୍ଷେ ବୃକ୍ଷେ ସଖି,

 

ଅଗଣ୍ୟ ବିହଗ ପ୍ରିୟାକଣ୍ଠେ କଣ୍ଠ ରଖି

ବୁଝୁଛ, କି ମୁଗଧ ସୁଖ ଭୋଗୁଛନ୍ତି ପ୍ରାଣେ ?

କୁସୁମର ଗନ୍ଧ,ଯାହା ଲଭୁଛ ଆଘ୍ରଣେ,

ତା’ ଲଭି ଏ ଶୀତବାୟୁ ସ୍ଫୀତ ହୋଇ ଉଠେ

 

ଦେଖୁଛ ତା’ ଲକ୍ଷ୍ମୀ ତୁମେ ? ଶାଖେ ଶାଖେ ଫୁଟେ

ଅସଂଖ୍ୟ କୁସୁମ କିପାଁ ? କା ଲାଗି ଚନ୍ଦ୍ରିକା ?

କାହାଲାଗି ମଧୁରାତ୍ରି ? ହେ ଅଭିସାରିକା,

କେଉଁ ଲାଭେ ଗୃହୁ ଆସି ଗୃହେ ଯିବା ଫେରି ?

 

କେ ଦେଖିବ ଚନ୍ଦ୍ରିକା ଓ ଧରଣୀର କେଳି ?

ରହ ଲକ୍ଷ୍ମୀ, ଆଉ ଦଣ୍ଡେ l କହ ଆଉ କଥା l

ଜ୍ୟୋତ୍ସ୍ନା ତଳେ ନତ କରି ସରମିତ ମଥା

କହ ପୁଣି କେତେମନ୍ତେ ଭଲ ପାଅ ମୋତେ;

 

ଯେତେହେଁ କହିଲେ ମନେ ଶଙ୍କା ଲାଗେ ସତେ

ତୁମେ ମତେ ମନ ପୋଛି ଭଲ ନାହିଁ ପାଅ !

 

ଲକ୍ଷ୍ମୀ

ବନ୍ଧୁ ମୋର, ସବୁ ମୋର, କି କଥା ଶୁଣାଅ l

କାହିଁକି ସନ୍ଦେହ ଲାଗେ ? ମରିଯାଏଁ କିନା !

କେମନ୍ତେ ମୁଁ ଜଣାଇବି ତୁମ ପାଦେ କିଣା

ମୋର ଏ ଶରୀର ମନ ? କେ ଅଛି ସୁନ୍ଦର

 

ତୁମ ପରି ? କେବା ନିଜ ବାନ୍ଧବ ଜନର

ତୋଷ ପାଇଁ ତୁମ ପରି ନିଜେ ଯାଏ ଭୁଲି ?

ଦୀନହୀନ ମୁହିଁ ମାତ୍ର ଜନପଥ ଧୂଳି l

କିବା ଅହଙ୍କାର ମୋର ଅଠି ପ୍ରିୟ; କହ

 

ତୁମର କରୁଣା ବିନା ? ପ୍ରାଣେ ଅହରହ

ତୁମ ଲାଗି ଭୋଗେ ଯାହା , ନାରୀ କଣ୍ଠ ଦେଇ

ସମରରେ ନାହିଁ ପୁଟେ l ବିଶ୍ୱେ ନାହିଁ କେହି

ପ୍ରିୟ ମୋର ତୁମ ବିନା l ସଙ୍ଗସୁଖ ପାଇଁ

 

ଏ ମୋର ସକଳ ଆତ୍ମା ନୃତ୍ୟ କରୁଥାଇ

ଅହରହ, ଅହରହ l ସକଳ ମିଳନେ

ବିରହ ଅଶାନ୍ତ ମୋର ରହିଛି ଜୀବନେ l

 

ଦେବତା

ପ୍ରେମ ସଦା ଶଙ୍କାକୁଳ; ଏଣୁ ଏ ସନ୍ଦେହ l

କ୍ଷମା କର ମତେ ସଖି ! ଯିବ ଗେହ ?

ଲକ୍ଷ୍ମୀ

କର କ୍ରୀଡା, ନାହିଁ ଯିବ l ପ୍ରାଣେ ଭୟ ଖାଲି,

ଯଦି ଜାଣେ କେହି ତେବେ ପୁଣି ନିଶ୍ଚେ କାଲି

ଗ୍ରାମଯାକ ହେବ ହଟା l ମତେ ନଟବର,

ଜାଣି ଜାଣି ମତେ, ବୁଝି, ସରମିତ କର ?

ବଡ ଦୁଷ୍ଟ !

ଦେବତା

ମୁକ୍ତାବିନ୍ଦୁ ନୟନେ ତୁମର,

ପାଟଳ ବଦନ –ଶୋଭା, କମ୍ପିତ ଅଧର

ଦେଖିବାକୁ ଲାଗେ ମୋର ସୁଖ ଅତି ପ୍ରାଣେ l

ଲକ୍ଷ୍ମୀ

ଆଉ ଥରେ କର ଯଦି, ଜାଣ, ମୁହିଁ ଜାଣେ

କେମନ୍ତେ ଶୁଝିବି ଋଣ !

ଦେବତା

କଙ୍କଣ ଆଘାତେ

ଏକ କରି ଦେବ କିଗୋ ଅହି ଭୂମି ସାଥେ

ମୋର ଏ ମନ୍ଦିର ସଖି ?

 

ଲକ୍ଷ୍ମୀ

ଜାଣିବ ସୁନ୍ଦର,

ମୂରଲୀ ବଜାଅ ଅବେ, ଶୁଣେ ବଂଶୀଧର !

ଦେବତା ବଂଶୀ ବଜାଇବାକୁ ଲାଗିଲେ

ଦେବତା

ବଜାଇବି, ଶୁଣାଇବି ଅନ୍ତର ବ୍ୟଥିତ

ମୋର ଏହି ବେଣୁସ୍ୱନେ, ହୃଦୟ ମନ୍ଥିତ

ତବ କରିପାରେ ଯଦି ମୋ ଲାଗି କିଞ୍ଚିତେ !

ସେ ସ୍ୱନେ ଶୁଣିବ ମୋର ଅଶ୍ରୁ ଦଗ୍ମ ଚିତ୍ତେ l

 

ତୁମେ କିନ୍ତୁ କିଛି ବିନୋଦନ ଦେବ ନାହିଁ ?

ବିନିମୟ ନାହିଁ କିଛି ? ପାଙ୍କିରେ ପଳାଇ ?

ଲକ୍ଷ୍ମୀ

ଦେବତାର ସୁଖରେ ବିନୀତଭାବରେ ଠିଆ ହୋଇ

ଗାଅ ବନ୍ଧୁ, ତବ ବକ୍ଷ ପିଇ ମୋ ଶ୍ରବଣେ

ସର୍ବସ୍ୱ ମୋ ସମର୍ପିବି ପରମ ନର୍ତ୍ତନେ l

[ ଦେବତା ବଂଶୀ ବଜାଇଲେ ଓ ଲକ୍ଷ୍ମୀ ନୃତ୍ୟ କଲା l ଦେବଦାସୀ ନୃତ୍ୟ l ନୃତ୍ୟ ଶେଷରେ ପଟ ପତନ l]

 

ଶରତ୍ ଅପରାହ୍ମ l ଲକ୍ଷ୍ମୀର ପିତା ବେଲେଶ୍ୱର ମହାପାତ୍ରଙ୍କ

କୁଟୀରାଙ୍ଗନରେ ମହାପାତ୍ର ଓ ତଦୀୟ ପତ୍ନୀ l ଅଙ୍ଗନରୁ

ସାକ୍ଷିଗୋପାଳ ମନ୍ଦିର ଚୂଡା ଦେଖା ଯାଉଅଛି l

ବେଲେଶ୍ୱର

ଶୁଣ ସଖି, କେତେ କାଳ ରଖିବା କନ୍ୟାରେ

ନିଜ ଘରେ କହ ଆଉ ? କହନ୍ତି କଥାରେ

ଘିଅ, ଝିଅ ରଖି ନୁହେଁ; ସ୍ନେହ ଅଛି ବୋଲି

ରଖିବା କି ଦେଲୁ ଯାହା ଆନ ହାତେ ତୋଳି

 

ଚିରକାଳ କୋଳେ ଧରି ? ଲାଗିଛି ସଂସାର,

ଯାଏ କମ୍ୟା ଶାଶୁଘର; ବ୍ୟଥିତ ହେବାର

ଲୋକହସା ସିନା ସଖି !

ଶୁଣିଛି ମୁଁ ଆଜି

 

ଶଶୁରର ତର୍ଜନରେ ଗ୍ରାମ ପଡେ ଭାଜି !

କହୁଛି ଆସିବ ଏହି ଭାଦ୍ର ପୂର୍ଣ୍ଣିମାରେ,

ନେବ ବୋହୂ; ନ ହେଲେ ସେ ଛାଡି

ବୋହୂଠାରେ

 

ଚିରକାଳ ଲାଗି ଆଶା, ଯିବ ଫେରି ପୁଣି;

କିପାଇଁ କହିଲୁ ଏତେ ଗୋଳ କରି ଶୁଣି ?

ପତ୍ନୀ

ସତ୍ୟ କଥା ସିନା ନାଥ, ଫେରାଇ ଫେରାଇ

ଲୋକ ତାଙ୍କ, କହିବାକୁ ମୁହିଁ ଆଉ ନାଇଁ l

ବୋଲୁଛନ୍ତି ଗ୍ରାମଲୋକେ ‘ଏକାକୀ ଜଗତେ

ଏଇ ପାଇଥିଲା ଝିଅ, ରଖିଛି ପଣତେ,

 

ଛାଡୁ ନାହିଁ ଶାଶୁଘର ! ଏତେ ସ୍ନେହ ଯଦି,

ବିଭା ଦେଲା କରି କିପାଁ ? ବାଧାତା ସରଜି

ଦେଇଛି ଯା ପାଇଁ ଯାରେ , ସେ ସିନା ତାହାର,

ଅପରି କଥା ତ କାହିଁ ଶୁଣିନି ସଂସାରେ ?

 

ଶୁଣି ସେ ଟାହୁଲ, ବୁକୁ ହୋଇଯାଏ ପାଣି,

ଉତ୍ତର ଦେବାକୁ ମୁଖେ ନ ଫିଟଇ ବାଣୀ l

ଦୋଷ ତ ଆମରି ନାଥ ! ବିଭା ହୋଇ ପିଲା

ଏତେ ଦିନଯାଏ ଶାଶୁଘର ନ ଦେଖିଲା;

 

 

ଥର ଥର ଲୋକ ପେଷି ଫେରିଲା ଶଶୁର,

ରାଗିବା ବିଚିତ୍ର କିବା ?

କିନ୍ତୁ ସେ ମଧୁର

ମୁଖଟିକି କେମନ୍ତେ ମୁଁ ପାସୋରିବି ନାଥ !

 

ସେଇ କଥା ନିତ୍ୟ ଭାବେ; ସଙ୍ଖଳି ବିନା ତ

କ୍ଷଣକେ ଅନ୍ଧାର ମୋତେ ଦିଶଇ ସଂସାର;

ଗଲେ ଚାଲି, ଶୂନ୍ୟ ଗୃହେ କରି ହାହାକର

କା’ ମୁଖ ଅନାଇ ପ୍ରାଣ ବୋଧିବି କହ ତ ?

 

ପୁର ହେବ ଖାଲି l ମୋର ହୀରା ପରବତ

ଯିବ ଚାଲି l ଶୂନ୍ୟ ପୁରେ କଞ୍ଚିବି କେସନ ?

ଗୋଟାକୁ ଦୁଇଟା ବିଧି––

(କ୍ରନ୍ଦନ)

ବେଲେଶ୍ୱର

ଦୋଷି ଭନବାନେ

କି ଲାଭ କହିଲୁ, ସଖି ! ଭଗ୍ୟହିଁ ସକଳ;

ପୂର୍ବେ କର୍ମ୍ମ ଅନୁସରି ପ୍ରାଣୀ ଫଳାଫଳ

ପାଇଥାଏ ଏ ଜଗତେ l ଶାସ୍ତ୍ରକଥା ଏ ହି

 

ଏଡିକି ପାରିବ ତା’ରେ ବଳବନ୍ତ କେହି ?

ଦେଇଛନ୍ତି ପୁଣ୍ୟ ଦେଖି ଏକଲ କଳିକା,

ପୁତ୍ର ସେଇ, କନ୍ୟା ସେଇ, ସେ କୁଳପାଳିକା l

.ଯେତେ ଦିନ ବଢିବାର ଥିଲା ଏ କୁଟୀରେ

ବଢିଲା, ଏବେ ଲୋ ସଖି, ତା’ ନିଜ ମନ୍ଦିରେ

ଉଚିତ ଦେବାର ଛାଡି କନ୍ୟା ତ ବେଭାରେ

ପର ଘର ପାଇଁ ଗଢା, ଲୁହ ତେଜିବାରେ

ଫଳ କିବା କହ ମତେ ? ଫଳ ହେବ ସିନା

ଶଶୁର ତା’ ଗଲେ ଫେରି, ସ୍ୱାମିସୁଖ ବିନା

ଚିରକାଳ ହେବ କନ୍ୟା ସେ ଭାଗ୍ୟୁ ବଞ୍ଚିତ !

ସେ ଦୁଃଖ କି ଆମ ସ୍ମେହେ ହେବ ଅପଚିତ ?

ସେକଥା ବିଚାରି ଏବେ କର ଆୟୋଜନ

ଲକ୍ଷ୍ମୀର ପହିଲି ପାଳି; କିବା ପ୍ରୟୋଜନ

ଏ ଘରେ ତାହାର ଆଉ ?

ପତ୍ନୀ

ଯିବ ସେ ଯେ ଘର

କି ଅବା ଜାଣିଲା ତା’ର ସଙ୍ଖାଳି ମୋହର !

ବର ବୋଲି ଯୋଡିଦେଲେ ଆଣି ବା ଯାହାକୁ

ଜାଣିଲ କି କେମନ୍ତେ ସେ ଏ ରତ୍ନମାଳାକୁ

 

କରିବ ଆଦର ସ୍ନେହ ? ଶୁଣୁଛି ମୁଁ ଶାଶୁ

ବଡ ଦୁରୁଦଣ୍ଡ ପୁଣି l ଡାକିନୀର ହାତୁ,

କେ ଜାଣେ କି କଷ୍ତ ପାଇ ସଙ୍ଖାଳି ମୋହର

ହାତ ପଛେ ଆଖି ପୋଛି ହୋଇଣ ବିକଳ

 

ଅନ୍ତରେ ବୋଉଲୋ’ ବୋଲି ଡାକିଲେ କି ନାଥ,

ଥିବ ମୁଁହିଁ ପାଶେ ତା’ର ? ମୁଣ୍ଡେ ମାରି ହାତ

କୋଳେ ଧରି ଆଖି ଦେବି ପୋଛି ମୁଁ ପଣତେ ?

କି ଦିଃଖ ସେ ! କି ବେଦନା ନ ପାଇବ ସତେ

ଧନ ମୋ’ର ପରପୁରେ ନିରାଶ୍ରିତା ପରି !

(ପୁଣି କ୍ରନ୍ଦନ)

ବେଲେଶ୍ୱର

କାହିଁକି କାନ୍ଦୁଛ ପୁଣି ? ଲୀଳା ତ ଏପରି

ଲାଗୁଛି ଜଗତଯାକ l ନାରୀ ଜନ୍ମ ପାଇ

କିଏ କାହିଁ ଏ ବେଭାରୁ ପାଇଅଛି ତ୍ରାହି ?

ନିଜ ଘର ତେଜି ଯିବ ଦୂର ପରଘରେ,

 

 

 

ମୁଣ୍ଡ ପାତି ନେବ ସହି ସକଳ ଜଞ୍ଜାଳେ,

ସଂସାରେ କରିବି ପୁତ୍ର କନ୍ୟା କରି ଜାତ,

ତାଙ୍କରି ଜଞ୍ଜାଳେ ନିଜ ଲୁଖ ଆତଯାତ,

ଏଇ ତ ନାରୀର ଭାଗ୍ୟ ? ଆମ ଲାଗି କିବା

ସଂସାରେ ହୋଇବ ନୂଆ ?

ପତ୍ନୀ

ଶୁଣିଲେ କିନ୍ତୁ ମୋ’ଧନ କାଲି ପଡିଯାଏ !

ଜାତ ତ ? ଜାଣି ନା ? –ଲକ୍ଷ୍ମୀ ହସି ଖେଳୁଥାଏ

ସଙ୍ଗମେଳେ, କେହି ସାଥି ପରିହାସ ରସେ

କହିଲେ ସ୍ୱାମୀର କଥା, ବିଷମ ବିରସେ

 

ସଙ୍ଖାଳିର ଚାନ୍ଦମୁହଁ ରକ୍ତ ହୋଇ ଉଠେ,

ବଚନ ନ ଫୁଟେ ମୁଖୁ, ହସ ମୁଖୁ ତୁଟେ,

ପଳାଇବା ପାଇଁ ଉଠେ ସଜନୀଙ୍କ ପାଶୁ l

କେତେ ଥର ଦେଖିଲିଣି, ଶୁଣିଲିଣି ଭାଷୁଁ

 

ସାଥିଙ୍କର ପୁଣିତାର, ଦେଖୁଛି ଯେପରି

ମାଆର ମୋ ଅଭିଲାଷ ନାହିଁ ତିଳ ସରି

ଯିବାପାଇଁ ଶାଶୁଘର l ଭାବୁଛ ସରମ ?

ନାହିଁ ଜାଣ, ଜନନୀ ମୁଁ ବୁଝିଛି ମରମ l

 

ବାର ବାର ଦେଖିଲିଣି, ଆସେ ଯେଉଁ ଦିନ

ଶାଶୁଘରୁ ଲୋକ ଡାକି –ତା’ର ତନୁ କ୍ଷୀଣ

ତାତି ଉଠେ ଜରତାପେ; ଅନ୍ନ ତେଜି ଧନ

ନିଶବଦେ ପଡେ ଶୋଇ; ପୁଚ୍ଛିଲେ କାରଣ

 

‘ମାଅଲୋ, କାହିଁକି ଦେହେ ହେଲା ଆଜି ତାତି ?’

ଖାଲି କହେ ‘ଜାଣି ନାହିଁ –କିନ୍ତୁ ଏ ମୋ ଛାତି,

କିପାଁ ବୋଉ, ଦମଦମ ପଡେ ଲୋ ଏପରି ?’

‘କାହିଁକି ଲୋ’ ’କାହିଁକି ଲୋ’ ବୋଲି କୋଳ ପରି

 

ସଙ୍ଖାଳିରେ ଧରେ ଜାକି––

ଏଥରେ କେସନେ

ଶାଶୁଘରେ ଦେବି ପେଲି କହିଲ ମୋ’ ଧନେ ?

କେମନ୍ତେ ବୁଝିବୁ ଆଉ କହିଲୁ ବାୟାଣି ?

 

ଚାହିଁ ସେଇ ଦେଉଳରେ, ଅପବାଦ ବାଣୀ

କେମନ୍ତେ ଉଠୁଛି ଗ୍ରାମେ ପୁଣି ପକା ମନେ;

କହ ତହୁଁ ଘରେ କେହ୍ନେ ରଖୁ ଘରଧନେ ?

ବୁଝିଲୁ ? ବୁଝିଲୁଟିକି ?

ପତ୍ନୀ

ଘୋର ମିଥ୍ୟା କଥା !

ଲଗାନ୍ତି ମୋ’ ଧନ ନାମେ କେତେ ନଟକଥା

ଅସହଣି ଗ୍ରାମ ଲୋକେ l ସେସବୁକୁ ସତ

ମଣିବାରେ କି ଗରଜ ଅଛି ମୋ’ କହ ତ !

 

ମୋ’ ପିଲାରେ ମୁହିଁ ଜାଣେ ! –ନାହିଁ ପାରେ କହି

ଦି’ପଦ ବଚନ ଗୁରୁଜନ ଆଗେ ରହି

ଲାଜକୁଳୀ ଲତା ମୋର ! ଘରେ ଲାଗୁଁ ବତୀ

ଶେଯ ଧରି ମତେ ଡାକେ ଶୋଇବାକୁ କତି,

 

ଭୟ ଲାଗେ ଘରେ ଏକା l ସାଙ୍ଗମାଥୀକେହି

ଟାଣେ ପଦେ ଦେଲେ କହି, ମୋ’ ଲବଣୀ ଦେହୀ

ସଢିଯାଏ ଅପମାନେ, ଟପଟପ ନୀର

ବହିଯାଏ, ଦୁଇ ନେତ୍ରୁ –ସେ ପୁଣି ଗଭୀର

 

ରାତ୍ରେ କାହିଁ ଘର ଛାଡି ଛୁରୀଅନାବନେ

ବୁଲେ ଏକା; ବାନ୍ଧ ପୁଣି ଆପଣା ବସନେ

ଗୋପୀନାଥେ କରେ ଖେଳ ଚନ୍ଦ୍ରପକ୍ଷ ରାତେ,

ରତ୍ନଚୀରା କୂଳେ ପୁଣି ବୁଲେ ଧରି ସାଥେ

 

ଦେବତାରେ ଦିବସରେ ; ଅନାସୃଷ୍ଟି କଥା

ଶୁମି କିପାଁ ହୁଏ ଶୁଣେଁ ତୁମ ମୁଣ୍ଡ ବ୍ୟଥା !

ଘଟେ ଅବା ଏତେ ଲୀଳା କହ କେତେବେଳେ ?

ରଖିଛି ଧନରେ ମୋର ସଦା ଆଖିତଳେ,

 

ଛାଡି ନାହିଁ ପାରେ ରହି l ସଞ୍ଜ ଲାଗୁଁ ଘରେ

ନାହିଁ ନାହିଁ କରୁ କରୁ ଭୂଞ୍ଜାଇ ଏ କରେ

ଯତନେ ଦିଅଇ ଶୋଇ; ଘର କାମ ସାରି

ଶୋଇବାକୁ ଆସି ଦେଖେଁ ନିଦରେ ସଙ୍ଖାଳି

 

ପଡିଛି କନକ ଲତା ପରି ଶେଯପରେ l

ଦୀପ ରଖି ରୁଖାପରେ ମୁଖେ ତାହିଁ ଥରେ

ଦୁଇ ଆଖି ପୂର୍ଣ୍ଣ କରି, ସାଉଁଳ ବଦନ

ସାଉଁଳି ସର୍ବାଙ୍ଗ, କରି ଶିଥିଲ ବସନ

 

ଯତନ; ଧନରେ କୋଳେ ଆଣି ଭିଡି ଧୀରେ

ଶୋଇପଡେଁ l ନିଦଭାଙ୍ଗେ ସକାଳ ହୋଇଲେ

ତା’ର ଡାକେ ‘ବୋଉ କିଲୋ ଉଠିବୁ ନାହିଁକି ?

ନନା ଡାକୁଛନ୍ତି ପରା’ !

କହ ମତେ ବେଖି

 

କିପରି ପରତେ ଯିବି ଏ ଯେ ଅପବାଦେ ?

କାହିଁ ବେଳ ? କିପାଇଁ ବା ଏତେ ପରମାଦେ

ଯିବ ମୋର ଗଣ୍ଠି ଧନ ?

ବେଲେଶ୍ୱର

ନାରୀ ଜନ୍ମ ହେଲେ

ଚୂଲି–ଧୂଆଁ ସଙ୍ଗେ ବୁଦ୍ଧି ଉଡିଯାଏ ହେଲେ !

ଦେବତାର ମାୟା ତୁହି କି ଜାଣିବୁ କହ

ରହୁ ବା ସଙ୍ଖାଳି ତୋର ସାଥେ ଅହରହ ?

 

କେତେ ଦିନ ହେଲା ରାତ୍ରେ ଶୁଣୁନି କି ମୁହଁ

ଚାପି ଚାପି ପଦପକା; ପୁଣି ଜନ ଦୁଇ

ଆସିବା- ଫେରିବା ନିତ୍ୟ ଗଭୀର ନିଶାରେ

ଏଇ ଆମ ଅଗଣାରେ ? ପଛ ବନଧାରେ

 

ଶୁଣୁନି କି ହସ ଖେଳ, ରଙ୍ଗ ନାଟ ଲୀଳା

ଚୁପୁ ଚୁପୁ ଘଟିବାର୍ ? ଆଗ ଦ୍ୱାରା ଶିଳା

ଟୁଣୁ ଟୁଣୁ ବାଜିବାର ବଳା ନାଦେ କାର

ଶୁଣୁନି କି ? ଶୁଣୁଛି ମୁଁ –ପିଶାଚ ପ୍ରକାର

 

ଭାବି ମନେ, ଭୟେ ଥାଏ, କହି ନାହିଁ କାରେ l

କିନ୍ତୁ କେ ନ ଜାଣେ କହ, ସେ ଦିନ ଦୁଆରେ

ପାଇଲା ପୂଜାରୀ କେହ୍ନେ କନକ ମୂରଲୀ,

କେସନେ ମୟୂର- ପୁଚ୍ଛ ଖୋଜୁ ଶେଯ ତଳି

ଲକ୍ଷ୍ମୀର, ପାଇଲା ଅପା , ଏଥିରେ କି କହ

ଅବିଶ୍ୱାସ କରି ହୁଏ ?

ପତ୍ନୀ

ଥିର ତେବେ ରହ

ଜାଣିଲ ଦେବତା ଯଦି ଆସେ ଏ କୁଟୀରେ l

ଅପବାଦ ବୋଲି କିପାଁ ? ଆମେ ତ ବିଧିରେ

ଅତି ଦୁଃଖୀଠାରୁ ଦୁଃଖୀ; ଏଥିରେ ଦେବତା

 

କୃପା ଯଦି କଲେ, ସେ ତ ଅତି ଭାଗ୍ୟ କଥା l

ଲକ୍ଷ୍ମୀ ମୋ’ ତାଙ୍କରି ସିନା; ତାଙ୍କରି ଇଚ୍ଛାରେ

ସରଗ ପ୍ରତିମା ଆମ ଆସିଛି ସଂସାରେ;

ତାଙ୍କରି ଇଚ୍ଛାରେ ବେଳ ଉଠେ ବୁଡେ ନିତି ,

 

ଧର୍ମ ଅଛି ଜଗତରେ; ତାଙ୍କ ବିନା ଗତି

କାହିଁ କାର ? ମୋ ପିଲାରେ କଲେ ଯଦି ଆଖି

ଧନ୍ୟ ହେଲା ଗର୍ଭ ମୋର l

ବେଲେଶ୍ୱର

ଆହା , ସେ କଥା କି

ବୁଝିବେ ଅପର ଲୋକେ ? ପରଶ୍ରୀକାତର

କେତେକ କରିବେ ହିଂସା ; ପରିହାସପର

ରଟିବେ କେତେକ ପୁଣି ଘୋର ଅପବାଦ

 

ତିଳେ ତାଳ କରି ସେ ଗୋ ଘୋର ପରମାଦ

ଘଟାଇବେ କେତେବେଳେ; ଏତେ ହଟବଟା

କିପାଇଁ କହିଲୁ ସଖି ? ବର ଘର କଥା

ଅଛି ପୁଣି l ଏ ସଂବାଦ ଶୁଣିଲେ ସେ କାନେ

 

ମନେ କର ବୁଡିବା ମୁଁ କିବା ଅପମାନେ !

ଦେବତା ହେଲେ କି ହେଲା ? ବ୍ୟଭିଚାର ଏ ତ !

ଭୁଆଷୁଣୀ ସଙ୍ଗେ ଏଇ ଲୁଚା ଚୋରା ଭେଟ !

ସେ କଥା ଶଶୁର ସ୍ୱାମୀ ନ ପାରିବେ ବୁଝି;

 

ଦେବତା ବୋଲି କି ସେ ଗୋ ଦେବେ ଆଖି ବୁଜି ?

ଏତେ ନଟ କିଏ ଚାହେଁ ? ଦୁଃଖି ଲୋକ ଆମେ,

ଆମ ଦୁଃଖେ ରହିଥାଉ ଲାଗି ଆମ କାମେ;

ପର ତୁଣ୍ଡେ ଆମ କଥା ପଡିବାର କାହିଁ

 

ଶୁଣି ନାହୁଁ ଏତେ କାଳ; ନିଜ ଦୁଃଖେ ଥାଇ

ଏ ଭାଗ୍ୟ ତ କେବେହେଲେ କରିନୁ ଯାଚନା,

କିପାଇଁ ଏ ଅନୁକମ୍ପା ? ତେଣୁ ମୋ ଭାବନା,

ଏ କେବଳ ଏ ଦୁଃଖୀରେ ଦେବାକୁ ଗଞ୍ଜଣା

 

ଦଶ ଜଣ ଆଖି ଆଗେ––

ଏଇ ଦେଖ, ଅନା,

ପୂଜାରୀ ଅସୁଛି ପୁଣି; ପୁଣି ହଜିଲା କି

ଦେଉଳରୁ ଆଉ କିଛି ?

(ପୂଜାରିଣୀ ପ୍ରବେଶ)

ଆସିଲୁ କାହିଁକି ?

ପୂଜାରୀ

ଜାଣିନା କି ? ଶ୍ରୀଜୀଉଙ୍କ କନିଷ୍ଠ ଅଙ୍ଗୁଠି

ମୁଦ୍ରିକା ହରାଇଅଛି l ସାଉଁଟି ସାଉଁଟି

ଦୀପ ଧରି ଚାରି ଆଡ ଖୋଜିଲି ବିଶେଷେ

ପାଇଲିନି କିନ୍ତୁ କାହିଁ––

 

 

ବେଲେଶ୍ୱର

ମୁଁ କି ବରବେଶ

ହେବାକୁ ଆଣିଛି ମୁଦି –ଧାଇଁଲ ଏଠାକୁ ?

ପୂଜାରୀ

ନାହିଁ, ନାହିଁ –ଇଚ୍ଛା ଥିଲା ଥରେ ପୁଚ୍ଛିବାକୁ

ଲକ୍ଷ୍ମୀରେ––

ପତ୍ନୀ

ଲକ୍ଷ୍ମୀ କି ମୋର ଚୋରଣୀ ଦିଶିଲା ?

ହଜୁଛି ଦେଉଳୁ ଯାହା, ସୁନା ଅବା ଶିଳା

ଧାଉଁଛ ଏଠାକୁ ନିତି ?

ପୂଜାରୀ

ସେ କଥା ମାଉମି !

ମୁଖେ ଧରି ନାହିଁ ଆସେ l କହିଲା ପାଡୁଷୀ

ଲକ୍ଷ୍ମୀ ଆଜି ଯାଇଥିଲା ଫୁଲମାଳ ଧରି

ଦେଉଳକୁ ଖରାବେଳେ––

ପତ୍ନୀ

ଦିଅଁ ପୂଜା କରି ?

ମିଥ୍ୟା କଥା, ମିଥ୍ୟା କଥା !

ପୂଜାରୀ

ମିଛ ନାହିଁ ଏଥି,

ବୁଝନା ଦେଖ ଗୋ ଟିକେ l ଡାକିଆଣ ଏଠି

ଲକ୍ଷ୍ମୀରେ l ଅଛି ତ ଘରେ ?

ପତ୍ନୀ

ସକାଳୁ ଅଛି ସେ

ଘରେ ମୋର l ଲାଗିଅଛି ଘରଣୀ ପରି ସେ

ନିଜ କାର୍ଯ୍ୟେ l ଡାକେ ଦେଖି ଲକ୍ଷ୍ମୀ –ଏ ସଂଖାଳି

(ନୀରବତା)

 

ଏଇ ଆସେ......

(ଲକ୍ଷ୍ମୀର ପ୍ରବେଶ)

ଯାଇଥିଲୁ ତୁହି ଫୁଲ ଧରି

ଦେଉଳକୁ ଆଜି ?

ଲକ୍ଷ୍ମୀ

(ମୁହଁ ପୋତି)

ଯାଇଥିଲେ ଦି’ପହରେ l

ପୂଜାରୀ

ହୀରାର ମୁଦ୍ରିକା ନାହିଁ ଦେବତାଙ୍କ କରେ l

ଜାଣୁ ନାହିଁ ?

ଲକ୍ଷ୍ମୀ

(ସଲକ)

ଦେବତା କି ମାଗୁଛନ୍ତି ପୁଣି ?

ଏଇ ନିଅ l

(ଅଙ୍ଗୁରିକା ପ୍ରଦାନ)

ପତ୍ନୀ

ମାଆ ମୋର, ଏ କି କଥା ଶୁଣ !

ବେଲେଶ୍ୱର

ଏତିକିରେ ଶେଷ ହେଉ ଜଞ୍ଜାଳ ତୁମର,

ହେ ଦେବତା !

ପୂଜାରୀ

ମୁହିଁ ପ୍ରଭୁ ମାତ୍ର ପରିଚର !

 

ନିଶୀଥ ରାନ୍ତ୍ରି l ବେଲେଶ୍ୱର ମହାପାନ୍ତ୍ରଙ୍କ ବାତାୟନ ନିକଟରେ

ଦେବତା ସକ୍ଷି ଗୋପଳ ଦଣ୍ଡାୟ ମାନ l

ଦେବତା

(ଅନୁଛ ସ୍ୱରରେ )

 

ଲକ୍ଷ୍ମି, ଲକ୍ଷ୍ମି !                  (ନୀରହତା)

ଲକ୍ଷ୍ମି, ଡାକେ ମୁହିଁ ସାଥୀତବ l

ଉଠ ବନ୍ଧୁ ,ଆସ ଦାଣ୍ଡେ , ପାଏ ଅନୁଭବ

ତୋ’ ସାଥିରେ,

 

(ନୀରବତା)

ଲକ୍ଷ୍ମି ମୋର ,କିପାଁ ଦେଉ ଦ୍ୟଥା,

ଦୁଇ ଦିନ ସଙ୍ଗେ ତୋର ହୋଇ ନାହିଁ କଥା,

 

ନପାରିଣ ସହି ତେଣୁ ଅନ୍ତର –ବେଦନା

ଆସିଛି ମୁଁ , ବୁଝିଥାନ୍ତି କି ଅବମାନନା

ଦେଇଛି ତୋ’ ପ୍ରାଣେ ମୁହଁ, ତେଣୁ ମନ୍ଦିରେ

ଯାଇ ନାହୁଁ ଦୁଇ ଦିନ- ଫିଟାଅ ସଖି ରେ ,

 

ଥରେ ହେଲେ ବାତାୟନ, ଦେଖୁ ଥରେ ଆଖି

ମୁଖ ତୋର ,ଧନ୍ୟ ହୁଏ ମୁହିଁ ନିରିମାଖୀ l

ଉଠ ଲକ୍ଷ୍ମୀ , କହ କଥା –

 

(ନୀରବତା )

ଏତେ ଡାକେ ତା ‘ର

ଭାଙ୍ଗୁ ନାହିଁ ନିଦ ଆଜି ! ସାମାନ୍ୟ ପ୍ରହାର

ଜନକ –ବେଣୁରେ ଦେଲେ ବାତାୟନ ପରେ

ଅନ୍ୟ ଦିନେ, ରାଜପଥେ ଠିଆ ହୁଏ ଖରେ ,

 

ଆଜିଏ’ କି ବିଡମ୍ବନା ?-ଲକ୍ଷ୍ମି ,ସାଥେ ମୋର,

ଏକମାନ୍ତ୍ର ସାଥି ଗ୍ରାମେ –ଏକମାନ୍ତ୍ର ତୋର

ଏପ୍ରାଣବ , ଜାଣୁନି କି ଏଇଅଭିମାନ

ଦିଏ କେତେ ବ୍ୟଥା ମତେ ? ଦେଲମୋର ରାଣ,

ଆସସଖି , ଉଠି ଦାଣ୍ଡେ,

 

(ନୀରବତା)

କର ଯୋଡି କରି

ଡାକେ ପୁଣି l ଲକ୍ଷ୍ମି, ମତେ କହ ଥରେ କଥା ,

 

(ନୀରବତା)

ଥାଅ ଲକ୍ଷ୍ମି, ଗର୍ବେ ତବ ଉଚ୍ଚ ଥଉ ମଥା,

ଯାଏ ମୁଁହି ନିଜ ପୁରେ l

(ଗମନୋଦ୍ୟତ)

ଲକ୍ଷ୍ମୀ

(ସହସା ବାତାୟନ ଖୋଲି )

ଯାଅ ଧୂର୍ତ୍ତ ଶଠ !

ଲୋଡା ନାହିଁ ସାଥି ତବ ନିପଟ କପଟ !

ତୁମ ସଙ୍ଗ ପାଇ ମୋର ଗ୍ରାମେ ଅପବାଦ

ଧରି ନୁହେଁ , ଦିନୁ ଦିନ ନାନା ପରମାଦ

ଘଟାଇ , ନିୟତି ମତେ ବୁଡାଇ ଲଜ୍ଦାରେ

 

ଅବସର ରଖି ନାହିଁ ମୋ ପାଇଁ ସଂସାରେ

ମୁଣ୍ଡ ଟେକି କାହା ଆଗେ କହିବାକୁ କଥା l

ତୁମ ଲାଗି , ଏତେ ହଟହଟା

ଭୋଗି ବାକୁ ହେଲା ମତେ ! କରେ ମୁଁ ଜୁହାର

ଏବେ ତବ ସ୍ନେହେ ଧୂର୍ତ୍ତ ! ଏ ସଙ୍ଗ ବିହାର

ଲୋଡା ନାହିଁ ମୋର ଆଉ l

 

ଦେବତା

(ଫେରି)

ଅଭିମାନ ପରେ

ଏଡେ ପୁଣି ଅପମାନ ! ତୋ’ ଚରଣ ତଳେ

କିବା ଅପରାଧ ସଖି , କରିଛ କହ ତ

ଭୋଗିବାକୁ ଏ ଲାଞ୍ଛନା ? ସାତ ଶନ୍ତ୍ରୁ ବତ

ଫେରାଇ ଦେଉଛ ମତେ ହାର ଦେଶୁ ତବ

ଧିକକାର ମୋ ସଙ୍ଗ ସ୍ପର୍ଶ ! ନୂଆ ଅନୁଭବ

ପାଇ କି ମୋ ପ୍ରଣ ୟର ” ଶଠ’ ବୋଲି ମତେ

କହି ବାକୁ ଥଲା ଆଜି ? ହାୟ, ସଖି, ସତେ

ସଂଶୟ କି ହେଲା ପୁଣି ଚିତ୍ତେ ଆଜସରି

ବୁଝିବାକୁ ଏ ଜନର ହୃଦୟ କିପରି

ଏକାନ୍ତ ଆଶ୍ରୟେ ପଶି ଯେ ଚରଣତଳେ

ମାଗିଛି ସେନେହ ତବ ?

ଲକ୍ଷ୍ମୀ

ସ୍ନେହ ଯେତୁ କରେ

ସେ କି, ଧୂର୍ତ୍ତ, ସ୍ନେହୀ ଜନେ ଦିଏ ଅପମାନ

ଏତେ ଲୋକ ଆଖି ଆଗେ ? ମରଣ ସମାନ

ଲଞ୍ଚ୍ଛନା ସେଦିନ ଦେଇ ମୁଦ୍ରି କାର ଲାଗି

କେଉଁ ମୂଖେ ଆସିଅଛ ଶଠ ଅନୁରାଗୀ !

 

ମାଗିବାକୁ ପ୍ରେମ ମୋର ? ନେଇଛ ମୁଦି କା,

ଆଉ କିସ ଅଛି ପୁଣି ଯାଚନା ଅଧିକା

ମୋ ଠାରୁ ହେ ନଟ ଶ୍ରେଷ୍ଠ ? ଯାଅ ଚାଲି ତୁଗ ,

ପାଟି ଶୁଣି ନ ନା –ବୋଉ-

ଦେବତା

ଏସନ ମୁଖରା

କିପାଁ ହୁଅ ସଖି ,ଆଜି ? ପାସେରି କି ଯାଅ

ମୁହିଁ ସେହି ଶ୍ୟାମ ତବ ? ବୃଥା ଏତେ ତାହ

ପ୍ରାଣେ ମୋର ଦିଅ କିପାଁ ସାମାନ୍ୟ କଥାରେ ,

ସ୍ନେହ ନିଜ ଜାଣେ ନାହିଁ କ୍ଷମା କରିବାର ?

 

ମୋର ସଙ୍ଗ ଲାଗି ବନ୍ଧୁ , ବହୁ ଅପମାନ

ଲଭିଲଣୀ ! ମୁହଁ ଜାଣେ ମୁଁ ତାର ନିଦାନ l

ଶେଷ ବାର କ୍ଷମା କର l

 

ଲକ୍ଷ୍ମୀ

କ୍ଷମା ନାହିଁ ଜାଣେ l

ରଖ ତବ ଚାଟୁ କଥା l ଚାଟୁ ଗୁଣଗାନେ

ଭୁଲାଇ ଏ ବାଳିକାର ଏତେ ଦିନ ହରି ,

କପଟ ପ୍ରଣୟ –ମୋହେ ବୃଦ୍ଧି ଅନ୍ଧ କରି

ରଖିଥଲା ଏତେ କାଳ , ଏବେ ମୁଁ ସକଳ

ବୁଝିଲିଣି ଆଚ୍ଛା କରି l

ଧିକ ଏ ଚପଳ

ମନ ମୋର ! ଜାଣି ଜାଣି ୟା ଙ୍କ କପଟତା

ଧାଉଁ ଥିଲ ପଛେ ଯାହା, ଏ ମରମ –କଥା

କହିଲି ଯା’ ବିଶ୍ୱାସେ ମୁଁ ଏ ଶଠ ଜନରେ

ଏ ପ୍ରାଣର ପ୍ରିୟତମ ଭାବିଣ ମନରେ

ସେଲାଗି ସରମଭରେ ନଇଁ ଆସେ ମଥା !

ସେ ବିଅର୍ଥ କଥା

ଭାବି ବା କି ଲାଭ ଆଉ ?

ଯାଅ ଏବେ ଫେରି,

ନିଦ୍ରା ଯାଏ ମୁହିଁ ସୁଖେ , ହେଲେ ପୁଣି ଡେରି

ଶେଯ ଛାଡୁଁ କାଲି ପ୍ରାତେ କହି ନା ନା କଥା

ଗ୍ରାମ –ନାରୀ ମୋର ନାମେ ଲଗାଇବେ ଅଠା !

ତୁମ ଲାଗି ମୁଖ ଲାଜ ମାରିବାକୁ ସୁଖେ

ନାହିଁ ଆଉ ଅଭିଳାଷ l ମୁହିଁ ମୋର ଦୁଃଖେ

ରହେ ଗୃହେ l ତୁମେ ତୁମ ମନ୍ଦିରରେ ରହି

ପାଉଥାଅ ରାଜ- ପୂଜା l

ଦେବତା

ଆଚ୍ଛା , ତେବେ ସହି,

ଯାଏ ମୁହିଁ ନିଜ ପୁରେ l ନିଦ୍ରା ଯାଅ ସୁଖେ

ନିଶ୍ଚିନ୍ତେ ଆପଣା ଶେଯେ l ଯାଉଛି ମୁଁ ପୂରେ l

ମୋଲାଗି ଯା ‘ ଅପବାଦ ରହୁ ଏବେ ଦୂରେ l

ଏଇ କ’ଣ ହେଲା ଶେଷ ?

ଲକ୍ଷ୍ମୀ

ହେଲା ଅବା ଶେଷ

ନାହିଁ ତହିଁ ମୋର କିଛି ଆପର୍ତ୍ତି ବିଶେଷ l

ଯୁବତୀ ମୁଁ ,ଅଛି ମୋର ପୁଣି କୁଳମାନ,

ଦେବତା ଜାଣିବ କେହ୍ନେ କିବା ଅପମାନ

 

ଲାଗେ ମତେ l ଥରଥର ପାଇ ଗୁରୁ ଲାଜ

ମୁଣ୍ଡଟେକି ଚାଲେ ଯାହା, ରମଣୀ-ସମାଜ

ଆଚମ୍ବିତ ହୁଏ ଭାବି l ତୁମେ ନଟବର,

ନିଜସୁଖ ପାଇଁ ନଟ ରଚୁଛ ମାତର l

 

ସେ ନଟରେମିଶି ଲଜନ ପାରିବ ସହି,

ଯାଅ ତୁମ୍ଭେ , ମୋ ଦିନ ମୋ ଦୁଃଖେଯାଉ ବହି l

(ଦେବତା ଆଉ କିଛି ନ କହି ମୁଖ ଫେରାଇ ଧୀରେ ଧୀରେ)

ବନମଧ୍ୟରେ ଲୁଚିଗଲେ l ଲକ୍ଷ୍ମୀ ବାତାୟନ ଦେଇ ଚକିତ

(ନେନ୍ତ୍ରରେ ସେଇ ଅନ୍ଧାର ଆଡକୁ ଚାହିଁ ରହିଲା )

ଲକ୍ଷ୍ମୀ

ଚାଲିଗଲେ ସତେ !

ସତେ ଚାଲି ସେ ଯେ ଗଲେ !

ଲେଉଟାଇ ପୁଣି ତାଙ୍କୁ ଆଣେ କେଉଁ ଛଳେ ?

ସେଦିନର ଅପମାନ ଲାଗି ଦୁଇ କଥା

ଶୁଣାଇ ନୁଆଇଁ ଥାନ୍ତା ସିନା ତାଙ୍କ ମଥା,

 

କିଛି ଯେ ନକନ୍ଧି , ମାନେ ଚାଲିଗଲେ ସତେ !

ଆଉ କି ଆସିବେ ନାହିଁ ? ଭାବିଲେ କି ମତେ

ସତବୋଲି ? ସତେ କ ‘ଣ ଶେଷ ହେଲା ସବୁ,

ତ୍ୟକ୍ତ ହେଲେ ସତେ ତାଙ୍କ ପ୍ରଣୟ ଗରବୁଁ ?

 

ଯାଏଁ ଘରୁ –ଧାଇଁ ପଥ କରେ ଓଗାଳିବି l

ଯିବ? ଯିବ ? –ନାହିଁ ଲେ ମା ବାଜେ ଡିବିଡିବି

ଗ୍ରାମଯ଼ାକ କଥା ମୋର ହୀବମୁଦି ଲାଗି

ଆଜିପୁଣି ଘରୁଗଲେ କେ ଜାଣି ଅଭାଗୀ-

ଭାଗ୍ୟରେ କିଲେଖା ଥିବ ?

ଡାକେଁ ତେବେ ଥରେ,

ଲୁଚିଥିବେ କେଜାଣେ ବା କେଉଁ ବୃକ୍ଷତଳେ,

ବୁଝିବାକୁ ମନ ମୋର l ଡାକେଁ ତେବେ –

(ଅନୁଚ୍ଚ ସ୍ୱରରେ ) ସାଥି !

ବନ୍ଧୁ ମୋର ଦୋଷ ସବୁ ମାଗେ ମୁଣ୍ଡ ପାତି;

ଫେରି ଥରେ ,ଶୁଣ ଥରେ, ଦିଅ ଥରେ କ୍ଷମା ,

ହେ ସୁନ୍ଦର, ଆଉ ଥରେ କର ପରିନ୍ତ୍ରମା l

ଶୁଣ,ଶୁଣ, ଫେରି ଶୁଣ, ଆସ ଆଉଥରେ

ଶ୍ୟାମ ମୋର ,ସାଥି ମୋର !

ମାଆଲୋ ପଥରେ

ଯିବା-ଜନ ଯଦିଶୁଣେ , ବୁଡିବ ମୋ ଭୋଳା

ନଡାକିବି ଆଉ ପୁଣି l ଯାହା ଅବହେଳା

ଦେଲି ତାଙ୍କୁ ସେଥିରେ ସେ ଫେରିବେ କିପରି ?

ଶୁଣିବେ ବା କିପାଁ ଡାକ ?

 

(ବସିପଡ) ସତେ ମୁଁ କି କଲି !

କଅଣ ନକଲି ହାୟ ରାକ୍ଷସୀ ମୁଁ ସତେ l

ରାଜା ମୋର ଆସିଥିଲା ଦେଖିବାକୁ ମତେ l

ଯାଚି ତାଙ୍କ ସ୍ନହ ଦୟା ପଦତଳେ ମମ,

ଇତର ପରିମୁଁ ତାଙ୍କୁ ଦିଆଇ ସରମ

 

ଫେରାଇଲି ଘୃଣା କରି l ମୁଖେ ସିନା କଥା

ନ କହିଲେ ଶ୍ୟାମବନ୍ଧୁ , କେତେ ସତେ ବ୍ୟଥା

ଲାଗି ଲୋ ନଥିବ ପ୍ରାଣେ ମୋର ଏ ଆଚାରେ !

କିକଲ, କି କଲି , ମୁଁ ଲୋ ! ଜଗତସଂସାରେ

 

ଏକମାନ୍ତ୍ର ସାଥି ମୋର , ପ୍ରାଣବନ୍ଧୁ ମମ,

ତାଙ୍କୁ ମୁଁ ଫେରାଇଦେଲି ,ଏଡକି ନିର୍ମ୍ମମ l

କାହା ପାଶେ ଏବେ ଯିବ ,ପଶିବି ଶରଣ,

କେ ଦେବ ସେନେହ ମତେ ? କାହାର ଚରଣ

 

ଧରିଲେ କେ ଦେବ ମତେ ଶ୍ୟାମର ସେନେହ,

ପାଇବି କାହିଁ ବା କହ ତାହା ସମ ପ୍ରିୟ ,

ପ୍ରେମମୟ , ଅନ୍ତର୍ଯ୍ୟାମୀ l

 

ସେଦିନ ନିଶାରେ

ଦେଖିଲେ ମୋଲାଗି ଧାଇଁପଡି କେଉଁ ଠାରେ

ଅଙ୍ଗୁ ବହେ ରକ୍ତ ଧାର ! ପୋଛିଲି ପଣତେ,

ଚାହିଁ ସ୍ୱେଦ-ସିକ୍ତ ମୁଖେ କହିଲି ମୁଁ ,ସତେ

 

କହ ମତେ କିବାଛାର ସଙ୍ଗଲାଗି ମୋର

କୋମଳ ଏ ଅଙ୍ଗେ କିପାଁ ବ୍ୟଥ ପଥ-ଶ୍ରମ କହ,

ମୋର ଛାର ଲାଗି କିପାଁ ଏତେ ଦୁଃଖ ସହ ?”

ଭାବିଲେ ହସି ସେ ଶ୍ୟାମ, “କହିବି କେସନେ

ତୁମେ ମୋର କିବା ଲକ୍ଷ୍ମୀ ? ହୃଦୟ-ଆସନେ

 

ବସିଛ ଧରଣୀ ମାଡି l ଧ୍ୟାନ ସଦା ମମ

କେମନ୍ତେ ଏ ପ୍ରାଣ –ଧାରା ତ୍ସୋତ ତ୍ସୋତ ସମ

ତୁମରି ପରାଣ ସାଥେ ଦିଅନ୍ତି ମିଶାଇ

ଅଣୁ ପରମାଣୁ ଧରି l ତେଣୁ ଥାଏ ଧାଇଁ

 

ଚିତ୍ତ ମୋର ତବ ପାଶେ ସଖି, ଅହରହ

ବିଚ୍ଛେଦେ ଭୋଗଇ ହିୟା ବେଦନା ଦୁଃସହ l

ନଖିଳ ମୋ ପ୍ରାଣ ଇକେ ତୋ ସାଥେ ମିଳନ

ଦିବସର ପ୍ରତିକ୍ଷଣ l ବିରହ –କଷଣ

 

ବଡ ଲାଗେ ପ୍ରାଣେ ସଖି ! ସେନେହ ଯାଚନା

ଲାଗିମୋର ଅପମାନ ନଥାଏ ଶୋଚନା l

ନିତ୍ୟ ମୁହିଁ ମାଗି ବୁଲେ ଭିକ୍ଷାପାନ୍ତ୍ର ଧରି

ଏ ସଂସାର ଦ୍ୱାରା ହାରେ , କ୍ଷୁଧାତୁର ପରି,

 

ସେନେହର ବିକ୍ଷାଞ୍ଜଳି କେବା ଦିଏ ମତେ ?

କେତେ ରସବନ୍ତ ଛନ୍ତି ତୋ ପରି ଜଗତେ ?

ଦେଲେ ,କେତେ ବିନିମୟ ମାଗିଥାନ୍ତି କିଛି,

ସେ ସ୍ନେହ କି ଆତ୍ମା ପୁରେ ? ତା’କି ମୁଁ ମାଗିଛି ?

 

ତୁମେ ଲକ୍ଷ୍ମୀ ମୋର ଲାଗି ସ୍ନେହ କର ମତେ”

ସେ ସ୍ନେହ କି-ଧନ ମୋର, କହିବି କେମନ୍ତ ?

ଧୂପ ଦୀପେ କରୁଛନ୍ତି ପୂଜା ଶତଶତ

ଏ ସ୍ନେହ କାହିଁ ଗୋ ତହିଁ କରିବ ତୃପତ

 

ଆତ୍ମା ମୋର ? ତେଣୁ ଲକ୍ଷ୍ମୀ –ରାଣି , ସ୍ନେହ ତବ l’

ସକଳ-ଗୌରବେ ମୋର ପ୍ରଧାନ ଗୌରବ l’

ଗୋଟି ଗୋଟି ମନେ ପଡେ ସେଦିନର କଥା

ରାକ୍ଷସୀ ମୁଁ ସେ ସ୍ନେହର ଭକ୍ଷିଲା ବା ମଥା !

 

 

ବନ୍ଧୁ ମୋର ,ସଖା ମୋର, କ୍ଷମା କର ମତେ,

ଲେଉଟ ଦେଖିବ ପୁଣି ମୋ’ ଅନ୍ତର-ଗତେ

ସେଇ ଲକ୍ଷ୍ମୀ ସେଇ ଲକ୍ଷ୍ମୀ ! ତୁମଛଡା ହରି

କାହା ସଙ୍ଗେ ଦେଇ ନାହିଁ ଆନନ୍ଦ ଏପରି

 

ଲଭେ ଯାହା ତବ ସାଥେ ପରାଣ ମୋହର !

ସେ ଆନନ୍ଦ ,ସେଇ ସୁଖ ଲାଗି ନଟବର,

ତୁମ ଲାଗି ତୁମଠାରେ ଢାଳିଅଛି ପ୍ରାଣ,

ଏ ପ୍ରାଣେ ଯେ ସ୍ନେହ ବନ୍ଧ, ତୁମେ ଖାଲି ଜାଣ !

 

ସକଳ ଏ ଅପବାଦେ ,ଅପମାନେ ହରି,

ନାହିଁ ମୋର ହୃଦ ତବ ପଦ ପରିହରି !

ତୁମରସଙ୍କେତେ ନିତି ତେଜି ପିତାମାତା,

ନିଶୀଥେ ଛାଡିଛି ଘର ଶୁଣିବାକୁ କଥା

 

ତୁମର ମଧୁର ମୂଖ l ଫେରିଲେ ଭବନେ

ସକଳକରମେ ଶ୍ୟାମ, ଭାବେ ଅନୁକ୍ଷଣେ

ତୁମରି ସୁନ୍ଦର ଛବି , ଅନ୍ତର ନିରତ

ଡାକୁଥାଏ ,” ହେ ଦେବତା , ସଖା ହେ ମହତ,

 

 

ସବୁ ଠାରୁ ଆପଣାର ତୁମେ ମୋର ଶ୍ୟାମ,

ଆଖି ତୃପ୍ତ ମୋର ଚାହିଁ ରୂପ ଅଭିରାମ,

ଆତ୍ମା ମୋର ତୃପ୍ତ ପାଇ ସ୍ନେହଧାରା ତବ,

ଇନ୍ଦ୍ରିୟ ତୃପତ ପାଇ ତବ ଅନୁଭବ l

 

ଏଡେକ ଗୌରବେ ପ୍ରଭୁ ଏଡେକ ଆଦରେ

ଅଭାଗୀର ମୁଣ୍ଡନଇଁ ଯାଏ ସରମରେ,

ସଖା ତୁମେ, ବନ୍ଧୁ ତୁମେ, ପ୍ରଭୁ ତୁମେ ମୋର

ତୁମେ ଜାଣ କିପାଇଁ ହେ ଲଗାଇଛ ଡୋର l’

 

ଏକାନ୍ତ ଭରସା ରଖି ପ୍ରଣୟତେ ତବ

ସହିଛି ସକଳ ଅପବାଦ ଅଗୌରବ l

କ୍ଷମା କର ପ୍ରଭୁ ,ଆଜି ଏ ରାତିର ଦୋଷ

ସେହି ଲକ୍ଷ୍ମୀ ଡାକେ ମୁହିଁ ,ମୃଞ୍ଚ ମନୁ ରୋଷ l

 

ଉଠି( ପୁଣି ବାତାୟନ ଦେଇ କିଛିକ୍ଷଣ ନୀରବରେ ଚାହିଁ )

ନାହିଁ ସେ ଆସିବେ ଆଉ l ନାହିଁ ସେ ଫେରିବେ !

ଆଦରେ ନୟନ ଚିପିନାହିଁ ସେ ଧରିବେ l

କାହା ମୁଖ ଚାହିଁ ଆଉ ମରମର ବାଣୀ

ଏକାନ୍ତ ବିଶ୍ୱାସେ ମୁହିଁ କହିବି ବଖାଣି ?

 

ଅଧରେ ନ ଫୁଟୁ କେବା ମରମର କଥା,

ଜାଣିବ, ବୁଝିବ ମୋର ମରମର ବ୍ୟଥା ?

କିଏ ଆଉ ମୋର ଛାର-ଚୁଲି-ସ୍ନେହ ଲାଗି

ଆକୁଳେ ଧାଇଁବ ରାତେ ହୋଇ ଅନୁରାଗୀ ?

 

କିବା ସ୍ନେହ ହରାଇଲି, କି ଅବା ସଂଙ୍ଗାତ,

ଦେବେ କି ତା’ ମତେ ମୋର ଜ୍ଞାତି, ପିତା,ମାତା ?

 

(ପୁଣି ବସିପଡ ହାତ ଯୋଡି କର )

ଡାକେ ଶେଷଥର ଶ୍ୟାମ , ପୂର୍ବ ସ୍ନେହ ନାମେ !

କ୍ଷମାକର l ଫେରି ପୁଣି l ଏନିର୍ଦ୍ଦୟ ଗ୍ରାମେ

ତୁମରି ଚରଣେ ବନ୍ଧୁ କରିଣ ଭରସା

ସହିଥିଲ ଅପବାଦ l ଏବେ ,ଲୋକ ହସା

 

କରିଲେ ହେ, ପରିହାର କରି ପଦତଳୁ,

କାହା ନାମ ଡାକି କହ ମୋର ଦୁଃଖ ଗରୁ

କହିବି ନୟନ ଲୁହେ ଚିନ୍ତାଇ ଉରସ ?

କେ ଶୁଣିବ ମୋ ବିପାକ ? ପରାଣେ ପରଶ

 

ଲାଗିବ କାହାର ଏଇଅଭାଗୀର ଲାଗି ?

ତଂଜ ନାହିଁ, ତ୍ୟଜ ନାହିଁ , ଆହେ ଅନୁରାଗୀ,

ଡାକେ ସେହି ଲକ୍ଷ୍ମୀ ତବ l ଦେବା –ଅଧିକାରେ

ଗର୍ବବହି ସିନା ମୁହଁ କହିଲା ଧିକକାରେ ,

 

ନିଜର କି ଅଧିକାର ଥିଲା ନଟବର ?

ସ୍ନେହ ଯୋଗୁ ହେଲା ସବୁ l ସ୍ନେହ କରି ବଡ

ଅଭାଗୀରେ ଉଠାଇଲ ନିଜର ସମାନେ

ଭୁଲାଇଲ ଜ୍ଞାନତାର ଆଦର ସନମାନେ,

 

ତେଣୁ ତବ ଅବମାନେ ହେଲା ତା’ ସାହସ l

ଅଜ୍ଞାନେ ,ସେନେହ ବନ୍ଧୁ କଲି ଅପଯଶ

ତାର କିହେ ନାହିଁ କ୍ଷମା ? କିପାଁ ପ୍ରେମ ଢାଳି,

ଏହୃଦୟେ ତବ ପ୍ରେମ –ପରଶ ସଂଚାରି,

 

କଲାତେବେ ମୋହ-ମୁଗଧ ଏଇ ବାଳିକାରେ

କିପାଇଁ ପ୍ରଣୟ –ମନ୍ତ୍ର ଝାଡ ମୋହଠାରେ

ଉଠାଇଲ ସ୍ନେହମମ ? ଜାଣି ମୁଁ ନଥିଲି

ସ୍ନେହ କିବା , ତୁମେ ଶ୍ୟାମ ,ବୁକୁ ମୋର ଚିରି

 

 

ଫିଟାଇଲି ଉତ୍ସ ତାର l ଭୂଲିଲି ମୁଁ ହେଳେ

ଦେବତା ବୋଲି ମୁଁ ଶ୍ୟାମ ,ତୁମରେ ହେ ବେଳେ,

ସାଥିପରି ତୁମ ସାଥେ କଲି ରଙ୍ଗହସ,

କେମନ୍ତେ ଜଣିବି କହ, ବାଳୁତ ବୟସ !

 

ସେଇ ଜ୍ଞାନେ ଦେଲି ଆଜି ଧିକକାର ତୁମରେ

ଅବଜ୍ଞାନ ଥିଲା କିଛି ତବ ପଦତଳେ l

କ୍ଷମା କର ପ୍ରଭୁ ,ଏବେ, ହୃଦୟ ମେଲାଇ

କହିଲି ଯା ‘ ହୃଦ-କଥା l ପୁଣି ହେ ଗୋଟାଇ

 

ଭୂମିତଳୁ ରଖ ମତେ ପଦ ପରେ ତବ l

ଲକ୍ଷ୍ମୀଦେବତାର ଆଗମନ ପାଇଁ ପୁଣି ଠିଆ ହୋଇ ବାତାୟନ

ଦେଇ ଚନ ଆଡକୁ ଅନାଇ ରହିଲା l ଦେବତା ଆସିଲେ

ନାହିଁ l ଲକ୍ଷ୍ମୀ ଶର୍ଯ୍ୟା ଉପରେ ଅବସନ୍ନ ହୋଇ ପଡିଯାଇ

 

କାନ୍ଦିବାକୁ ଲାଗିଲା l

ମଲି ! ମଲି ! ମଲି ଏବେ ନନା ବୋଉ ମୋର,

ବକ୍ଷମୋର ଯାଏ ଫାଟି ,ବେଦନା ମୋ’ ଘୋର !

ଆସିବନି ଧୂର୍ତ୍ତଶଠ ,ବୁଝିଲାନି ସ୍ନେହ,

ଲଜ୍ଜାରେ ,ସରମେ ମୋର ଜଳିଯାଏ ଦେହ !

 

ଛୁଞ୍ଚି ବିନ୍ଧି ହୁଏ ଯେହ୍ନେ ସାରା ଦେହେ ମମ,

ସୁଜିଲେ ସେ ଦେବତାରେ ନିଠୁର, ନିର୍ମ୍ମମ !

ସ୍ନେହ ଦେଇ ଫିଙ୍ଗି ଦେଲା ଶେଷେ ସେ ନିଠୁର,

କେମନ୍ତେ ସହିବି କହ ପରାଣ ଆତୁର ?

 

ବନ୍ଧୁ ବୋଲି ଧରିଥିଲା ଦେଲା ସେ ଫୋପାଡି

ନିରାଶ ସାଗର -ଜଳେ, ଧୂର୍ତ୍ତ,ନ ବିଚାରି !

ଶଶୁର ଆସିବ ପୁଣି ଦୁଇଦିନ ପରେ –

କାହିଁ ଯିବି ? –କାହିଁଯିବି ?- ବିଷଦିଅ କରେ

 

ବୋଉ ମୋର ,ମରିଯିବା ଭଲ ଏ ଜୀବନୁ ,

ସେଇ ଏକା ଉଦ୍ଧାରିବ ମତେ ଏ କଷଣୁ l

ହେଉ ଅବା ଶେଷ ଏଥି-ଦିଏ ଚପି ଗଳା

ଯାଏଁ ମରି ...............................

ଦେବତା ସହସା ଜାତାୟନ ପଥରେ ଦେଖା ଦେଲେ l

ଦେବତା

ଲକ୍ଷ୍ମୀ ମୋର, ଲବଣୀ –କୋମଳା,

ନିର୍ଦ୍ଦୟ ନହୁଅ ରାଣି ,ପୁଣି ଡାକେ ସଖି,

ଏଥର ଆସଚେ ଦାଣ୍ଡେ ,ମାନ ମୋର ରଖି l

ଶେଷ ଯଦିସ୍ନେହ ଆଜି ,ଦିଅ ଶେଷ ଦେଖା,

ସେଥିପାଇଁ ଫେରି ପୁଣି କଲିଗୋ ଅପେକ୍ଷା l

ବିରହ ତମର ସଖି,ନପାରେଁ ମୁଁ ସହି l

 

(ନୀରବତା)

ପୁଣି କିପାଁ ଦୁଃଖ ଦିଅ ଅବହେଲା ବହି,

ସୁର, ସଖି, ପୂର୍ବ, ସ୍ନେହ l

 

(ନୀରବତା)

ପୁଣି ଯିବି ପୁରେ

ଫେରି ମୋର ? କାଟବି ଏ ରଜନୀ ଆତୁରେ ?

ସୁନ୍ଦର କି ଦିଶିବ ତା ସଖି, ତୋ ନୟନେ ?

ଲକ୍ଷ୍ମୀ

(ଗୃହଭିତରୁ ଶଯ୍ୟାପରେ ରହି )

ଆସିଛ ? ଆସିଛ ଫେରି ପୁଣି ମୋ ଭବନେ

ରଖିବାକୁ ମାନ ମୋର ? ଆଜାଠୁଁ ଗଗନେ l

କିଏ ତୁମେ ?

 

 

 

 

ଦେବତା

ଜାଣିନା କି ମୋ ମୁଖ ବଚନେ ?

ପର ପରି ଭାଷ କିପାଁ ?

ଲକ୍ଷ୍ମୀ

ପରମୁହାଁ ସିନା !

ପର ଆପଣା ତ ଏଇ ପଡିଗଲା ଚିହ୍ନା

ସାମାନ୍ୟ କଥାରେ----

ଦେବତା

ଆହାକରିଲି ଧିକକାର

ମିନତ ନଶୁଣି କଲ ଅଜତ୍ସ ପ୍ରହାର----

ଲକ୍ଷ୍ମୀ

କ୍ଷମା କର ,କ୍ଷମା କର ପାଦ ଦୁଇ ଧରେ -----

ଦେବତା

କ୍ଷମା କି ନ କରି ଆସିଅଛ ଆଉ ଥରେ ?

ଉଠସଖି, ଦିଅ ହାତ ---

ଲକ୍ଷ୍ମୀ ଗୃହଭିତରୁ ହାତ ହଢାଇ ଦେଲା l ଦେବତା ବାତାୟନ

ଦେଇ ସେହି ହାତକୁ ଚିପିଧରିଲେ l

ଦେବତା

ଓଦା କାହିଁପାଇଁ ? କାନ୍ଦୁଥିଲା ?

ଲକ୍ଷ୍ମୀ

ଧିକକାରି ଯେ ଦେଲାକ ଫେରାଇ

ତୁମରେ , ନିଠୁର ତାର ଚକ୍ଷେ କାହିଁ ଜଳ ?

ଥାଉ ତାହା l କହ ମତେ ସୁନ୍ଦର ଏଥର

 

କ୍ଷମା କିକରିଛ ସତେ ? ମୋ ଧିକକାର ବାଣୀ

କେଡେହେଁ କୋମଳ ବୁକେ ଯାଇଥିବ ହାଣି,

କ୍ଷମା ତାର ନାହିଁ ପୁଣି ? ତଥାପି ମୁଁ ମାଗେ

ତୁମର ହୃଦୟ ଗୃଣେ l

ଦେବତା

ଗାଢ ଅନୁରାଗେ

ପ୍ରଣୟୀ-ଧିକକାର ଲାଗେ ମଧୁର ସଜନି !

ବୁଝିଲ ପ୍ରଥମେ ସଖି, ଆଜିଏ ରଜନା,

ମୋ ‘ ଠାରେ ଯେ ପ୍ରେମ ତବ ,ଶକ୍ତି ତା’ର କିବା !

ଗ୍ରହଣ ଯେ କରେ ସଖି, ତାହାର ଫିଙ୍ଗିବା

 

ଅଧିକାର ସିନା ଥାଏ ? ନଥିଲେ ପ୍ରଣୟ ,

ମୁଁ କିପାଁ ଆସନ୍ତି ଏଥି ହୋଇଣ ଅଥୟ,

ତୁମେ ବା କିପାଇଁ----

ଲକ୍ଷ୍ମୀ

ଆଉ ଲଜ୍ଜା ନାହିଁ ଦିଅ l

ମୋ ଧିକକାର ପାଇ ପୁଣି ଆସିବ ଯା’ ପ୍ରିୟ,

ସେଇ ଲାଜେ ଯାଏଁ ମରି l

ଦେବତା

ନ ଆସି କିପରି

ରହନ୍ତି ମୁଁ ସଖି ,କହ ? ଯାଏଁ ମୁହିଁ ମରି

ତୁମର ମିଳନ ବିନା l ଧକକାର ବା କିବା

ବାଧା ତହିଁ ? ଜାଣିଛୁ ମୁଁ ଏ ବକ୍ଷେ ସହିବା

 

ବନ୍ଧୁର ମୋ’ ପଦାଘାତ l

ପାଦେ.ଯେ ରଜନୀ ,

ଉଠ ଏବେ, ଆସ ଦାଣ୍ଡେ ବହନ, ସଜନି,

ଚାହେଁ ମୁଖ ଭଲେ ତରେ l

 

ଲକ୍ଷ୍ମୀ

ଯିବ, ହାତ ଛାଡି l

ଶ୍ରୀବତ୍ସ-ଲାଞ୍ଛନ ବୋଲି ଡାକ ନାମ ଯାର,

ତାକୁ ମୁଁ ନିଷ୍ଟୁର ବୋଲି କହୁଥିଲି ସତେ,

ଅହଙ୍କାରେ ଏ ବନ୍ଧୁରେ ଜାଣିବ କେମେନ୍ତ !

 

ସୁନାରୀ ଘର l ଜନୈକା ପୂଜକ –ପନ୍ତ୍ରୀ ସେଇ ବାଟେ ଯାଉ

ଯାଉ ସୂନାରିଣୀଙ୍କୁ ଡାକିବାକୁ ଲାଗିଲେ l

ପୂଜକ –ପତ୍ନୀ

କବାଟ ଫିଟା ଲୋ ବୋହୂ---- ଆଗେ ଜେମା ବୋଉ

(ନୀରବତା)

ଅଛ ନା ମଲଣି ସତେ l ଫୁଲ ସଞ୍ଜ ନୋହୁ

ଶେଯ ପାରି ଶୋଇଲଣି l --- କି ଭାଗ୍ୟ ତୁମର !

ସୁନାରିଣୀ

(କବାଟ ଫିଟାଇ)

ନେତ –ବୋଉ, ଆସ ଆସ ,ଭଲ ତ ଖବର ?

ଏତେ ଦିନେ ଆଜି କିପାଁ ମନେ ପଡିଗଲି

ଆସିଲ ବା ଏ ବାଟରେ ଆଜି ଭ୍ରମ କରି !

କି ଖବର ? ଆସ ଘରେ-------

 

 

ପୂଜକ-ପତ୍ନୀ

ବସିବାକୁ ତର

ମୋର ପୁଣି ଅଛି ଆଉ ? ଏତେବଡ ଘର

ଦେଖିବାକୁ କେହି ନାହିଁ –ବାଟେ ଯାଉ ଯାଉ

ଭାବିଲ ମୁଁ ଆସିବି କି ନ ଆସିବି ଆଉ,

 

ଜେମା – ମା’କୁ ଦେଖିଯାଏଁ l ଘରଲୋକ ଜାଣ

ସବୁବେଳେ ଦେଉଳରେ ! ଦେଲେ ଯେତେ ରାଣ

ରାତି ନୋହୁଁ ଫେରିବାକୁ , ହେଲା ନାହିଁ କିଛି ,

ତା’ପରେ ସେ ମହାପାନ୍ତ୍ର –ଝିଅକଥା –ଛି! ଛି !

ତା’ ଯୋଗୁ ତ ସାରା ହେଲେ ପଣ୍ଡା –ପଡିହାରୀ l

ସୁନାରିଣୀ

ଆଉ କିଛି ଘଟିଲା କି ? ନ ନା ତା’ ତିଆରି

କହିବାକୁ ଆଉ ପରା ବନ୍ଦ ସବୁ କଥା ?

ପୂଜକ –ପତ୍ନୀ

ଆଜି ପରା ଲକ୍ଷ୍ମୀ ଦେହେ ଦେବତାର କସ୍ତା

ଦେଖିଛନ୍ତି ଲୋକେ ପୁଣି-------

ସୁନାରାଣୀ

ଆଚମ୍ଭିତ ସତେ !

ପୂଜକ-ପତ୍ନୀ

କାହା ଗୋପ୍ୟକଥା କିଏ ଜାଣିବ କେମନ୍ତେ ?

କହୁଛନ୍ତି ମହାପାନ୍ତ୍ର ମ ନ୍ତ୍ର ଯନ୍ତ୍ର କରି

ବନ୍ଧନ କରିଛ ଦିଅଁ l ତେଣୁ କରି

 

ଆସୁଛନ୍ତି ଘରେ ତା’ର l ନ ହେଲେ କାହିକିଁ

ଏତେ ଝିଅ ଥାଉ ଦିଅଁ ତା’ ଝିଅ ପାଇଁକି

ଧାଇଁ ଥାନ୍ତେ? ସେଇଠି କି ମୋ’ ପିଲା ନଥାଇ ?

ସୁନାରିଣୀ

କେଜାଣି ମା ! କାହା କଥା କିଏ ଜାଣିଥାଇ !

ଲକ୍ଷ୍ମୀରେ ଦେଖିଲେ କିନ୍ତୁ ପେଟ ପୂରିଯାଏ

ଆମଘରେ ସବୁବେଳେ l ରୂପରେ ତାହାର

ଅଗଣାରେ ଫୁଲଫୁଟେ l ଜେମା –ବାପାଙ୍କର

 

ସବୁବେଳେ ବଡ ମନ, ନାନା ଅଳଙ୍କାର

ଗଢିତା’ର ମନ ଜାଣି, ରୂପ ଲାଗି ତା’ର

ଦେବାକୁ ପିନ୍ଧାଇ ତା’ ରେ l

କିବା ଗୁଣ ପୁଣି !

 

ଉଚ୍ଚବାଚ କଥା ନାହିଁ , ବଡତୁନି ତୁନି

କଥା କହେ-ତା’ କୁଣ୍ଡରେ ମିଠା ଶୁଭେ କଥା ,

ସବୁବେଳେ ଲାଜେ ଲାଜେ ପୋତିଥିବା ମଥା—

ବଡଲାଜ କୁଳୀ ପିଲା l ପର୍ବ –ପର୍ବାଣୀରେ

ପିଠା –ପଣା ଯାହା କିଛିଧରି ଥାଳିଟିରେ

 

ଦେଇଯିବ ହସି ହସି’ ‘ବୋଉ      ଦେଲା’ ବୋଲି !

ଧନ୍ୟ ଗର୍ବ- ଧାରୀ ମାତା –ରଖିଥାଇ ତୋଳି

ମୁଣ୍ଡ’ ପରେ ତାକୁ –ସେ ତ ଯୋଗ୍ୟ ରଖିବାର

ଏଭଳି ରତନ ଧରେ ଉଦର କାହାର ?

ତା’ର କିବା ଦୋଷ କହ ?

ପୂଜକ –ପତ୍ନୀ

କେ ଜାଣୀ ଲୋ ମାଆ ,

ଲୋକ ତୁଣ୍ଡେ ବାଜୁଅଛି କଥା କାହାଁ କାହାଁ----

ଶୁଣା କଥା କହେ ସିନା ! କହୁଛନ୍ତି କେହି,

ଦୁଇ ମାସ ଗର୍ଭତାର----

ସୁନାରିଣୀ

ଛି ! ଛି ! କାନ ଦେଇ

ଏକଥା ଶୁଣ ଲୋ କିଆଁ ? ଶୁଣିଲେ ଯେ ପାପ !

ଯା ତୁଣ୍ଡ ଏକଥା ଆସେ, ପଡି ଅଭିଷାପ

ତା’ ମୁଣ୍ଡେ ଅକାଳ –ବେଳେ l

ନେପଥ୍ୟେ

ଆହେ –ଶୁଣି ଯାଅ !

ପୂଜକ—ପତ୍ନୀ

ଆସିଲେଣି ଘରଲୋକେ----ଯାଏଁ ମୁଁ --- ତୁ ଥାଆ l

ସୁନାରିଣୀ

ଆଚ୍ଛା ହେଉ --- ଭୂଲିବନି- ଆସୁଥିବ ନାନି !

(ପ୍ରସ୍ଥାନ      )

(ସୁନାରୀର ପ୍ରହେଶ      )

ଡେରି ଏତେ କିଆଁ କଲ ? ମଲା ଆଖି ପାଣି l

 

ସୁନାରୀ

କଥା ହେଉଥିଲା ପରା ପୂଜକ –ସଭାରେ

ଦେଉଳରେ ରଖା ହେବ ରାଧା- ପ୍ରତିମାରେ

ଚଞ୍ଚଳ ସୁନାରେ ଗଢି l ସେଇ କଥା ପାଇଁ

ହୋଇଥଲା ଡକା ମତେ l

ସୁନାରିଣୀ

ପ୍ରତିମା ନଥାଇ

ଏତେ ଦିନ ଗଲା ଚଳି , ଏବେ କି କାରଣେ

ଆପିବେ ପ୍ରତିମା ପୁଣି ? ଦେବତା ସ୍ୱପନେ

ଜଣାଇଲେ କା’ ରେ କିଛି ?

ସୁନାରୀ

ନାହିଁ ,ନାହିଁ –ଏଇ

ସବୁ କଥା ଆମର ସେ ଲକ୍ଷ୍ମୀ କଥା ନେଇ l

ଆଜି ପୁଣି ଦେବତାର କସ୍ତା ଦେଖା ହେଲା

ଆମର ଲକ୍ଷ୍ମୀ ଅଙ୍ଗେ l ଦିଅଁ ସତେ ଦେଲା

 

ବଡକଷ୍ଟ ପିଲାଟିରେ l ନିର୍ଦ୍ଦୋଷ ପିଲାଟି,

ସେ କ’ ଣ ଜାଣିବ ମାୟା ? ଅଙ୍ଗ ଦେଲେ କାଟି

ପଦେ ହେଲେ କଥା ତା’ର ତୁଣ୍ଡୁ ନ ଭାରିବ,

ସେ ପୁଣି କି ମନ୍ତ୍ର ଜାଣି ବନ୍ଧନେ ରଖିବ

ଦେବତାରେ ? ସବୁ ସେ ଲୋ ଖେଳା ଦେବତାର l

ଘଟିବାରୁ କିନ୍ତୁ ଏତେ କଥା ବାରବାର

ପୂଜକ ଭାବିଲା ଆଜି –ଏ ସାକ୍ଷିଗୋପାଳ

ବୃନ୍ଦାବନେ ଶ୍ରୀମତୀ ଙ୍କୁ କରି ପରିହାର

ପାଗଳ ହେଲେଣୀ ଏଥି l ଲକ୍ଷ୍ମୀ ଅବାଜାତ

ହୋଇଛି ଶ୍ରୀମତୀ –କଳା ଧରି, ପିତାମାତା

ତେଣୁ ତା’ର ଧନ୍ୟ ଧନ୍ୟ , ତେଣୁ ଦେବତାର

ଏତେ ପ୍ରୀତି ତାହାଠାରେ , ତେଣୁ ବାର ବାର

ମନ୍ଦିର ତଆଗି ଦିଅଁ ବିରହ –ବାଧିତ

ଲକ୍ଷ୍ମୀ ପାଶେ କରିଥାନ୍ତି ବିଜେ, ଆରାଧିତ

ହେଲେ ଯେତେ ଉପାଚାରେ ମନ ନାହିଁ ଲାଗେ,

ପାଉଛନ୍ତି ରାଧା-ପ୍ରେମ ଲକ୍ଷ୍ମୀ –ଅନୁରାଗେ l

ଏବେ ଏକ କଥାହେଉ--- ଦେବ-ମୂର୍ତ୍ତି-ପାଶେ

ଶ୍ରୀମତୀ –ପ୍ରତିମା ଗଢା ହେଉ ତାଙ୍କ ଆଶେ,

ସଖୀ ଲଭି ତୁଷ୍ଟ ହେବେ ମନ୍ଦିର ଦେବତା,

ତୁଟିବ ବିରହ ତାଙ୍କ , ଶେଷ ହେବ କଥା l

ପୂଜକମଣ୍ଡଳ ମତେ ,ଏଇ ମତ କରି

ଡାକିଲେ ,କହିଲେ ,ହେଉ ଆଜି କେଉଁ ପରି,

ଶୁଭାରମ୍ବ କରିଦିଅ ରାଧା-ପ୍ରତିମାର l

ସେଇ କ୍ଷଣି ଫିଟା ହେଲାଦେଉଳ ଭଣ୍ଡାର ,

ଅଣା ହେଲା ସ୍ୱର୍ଣ୍ଣ -ପିଣ୍ଡ , ପୂଜା-ଉପଚାର

ନାନା ମନ୍ତ୍ରେ ପଣ୍ଡା- ପ୍ରତିହାରୀ କଲେ ତାର,

ତା’ ପରେ ଫେରୁଛି ଏଇ

ସୁନାରିଣୀ

ଦେବତା ଗଢିବା

ବଡ କଷ୍ଟ ବଡ ଦୋଷ l ମନ୍ତର ପଢିବା

ନୁହେଁ ତ ଏ –କେ ଜାଣିବ କିସ ପୁଣି ଘଟେ,

ମଙ୍ଗିଲା କାହିଁକି ?

ସୁନାରୀ

ଧ୍ୟାନ ଦେବତା ନିକଟେ

ରଖି ମୁଁ ଲାଗିବି କାର୍ଯ୍ୟେ l ଇଙ୍ଗିତେ ତାଙ୍କରି

ଯାହା ହେବ l କି କରିବ ମୂର୍ଖ ମୋହପରି

ନିଜ ବଳେ ?

ସୁନାରିଣୀ

ଲକ୍ଷ୍ମୀ ମୋର କିପରି ଅଛୁ ସେ

ଜାଣ କିଛି ?

ସୁନାରୀ

ଜାଣେ –ଏଇ ମାନ୍ତ୍ରକ ନିମିର୍ଷେ,

ଶୁଣିଲା ମୁଁ ମୂର୍ଛ୍ଚା ! ହୋଇ ପଡିଲା କାହିକିଁ –

ମହାପାନ୍ତ୍ର ବ୍ୟସ୍ତ ଭାରି l

ସୁନାରିଣୀ

ମୋ ଲକ୍ଷ୍ମୀ ପାଇଁକି

ଏକଥା ଶୁଣି ମୋ ବୁକୁ ଯାଉଅଛ ଥରି,

କେଜାଣି କି ହେବ ସତେ l

ସୁନାରୀ

ମୂର୍ତ୍ତି ମୁଁ ଗଢିବି ----- ଲକ୍ଷ୍ମୀ ଅନୁସର

 

 

ସୁନାରିଣୀ

ମୂର୍ତ୍ତି, ମୂଣ୍ଡତା’ ଖାଇବ,

ଦିଶିଯାଏ ମତେ ଯେହ୍ନେ –

ଚାଲ ଘରେ ଯିବ,

ସନ୍ଧ୍ୟା ଆସି ହେଲା ଏବେ l ହେ ସାକ୍ଷିଗୋପାଳ,

ଲକ୍ଷ୍ମୀରେ ଦିଅ ହେ ତବ ଘଣ୍ଟ ଆଢୁଆଳ l

 

ବେଲେଶ୍ୱର ମହାପାନ୍ତ୍ର ଙ୍କ କୁଟୀରାଙ୍ଗନ l ଅଙ୍ଗନରେ ବୃଦ୍ଧ

ମହାପାନ୍ତ୍ରେ ଓ ତଦୀୟ ପତ୍ନୀ l ଏକ ଗୃହାଭ୍ୟନ୍ତରରେ ଲକ୍ଷ୍ମୀ

ରୋଗଶର୍ଯ୍ୟା ରେ ଶାୟିତା l ତା’ର ଶର୍ଯ୍ୟା ବାହାରକୁ ଦେଖା

ଯାଉଛି l ସମୟ ଆସନ୍ନ ସନ୍ଧ୍ୟା l

ପତ୍ନୀ

କଥାମୋର ନଶୁଣି ବ, ଭୋଗ ଏବେ ଦଶା ,

ଲୋକେ ଡରି ହୁଏ ଏବେ ନିଜେ ଲୋକହସା

କହିଲା , ଉଛୁର କର ଆଉ କିଛି ଦିନ –

ଦିନୁ ଦିନ ପିଲା ମୋର ହୁଏ ଶିରୀହୀନ ,

ଶାଶୁଘର ଯିବା ଶୁଣି କଳା ଯାଏ ପଡି,

ମୁଖ ଦିଶେ ଦଶମାସ ରୋଗ ଭୋଗ ପରି ,

ଆଉ ମାସେ ଡେରି ହେଲେ କ୍ଷତି କିବା ଥିଲା,

ତାଙ୍କର ଘରେ ତ ଯିବ ଦିନେ ତାଙ୍କ ପିଲା !

ତା ‘ପରେ ସେଦିନ ସେହି କଠିଣ ଝିଙ୍ଖାସ

ମାରିବାକୁ ତାକୁ ଯେହ୍ନେ ତୁମ ଅଭିଳାଷ!

 

ତୁମ ଟାଣ କଥା ତାର ରକ୍ତ ନେଲା ଶୋଷି ?

ମୋ ପିଲାର ଦୁଃଖ ପାଇଁ ଆଇ କାରେ ଦୋଷି ?

 

ଦୁର୍ବଳ ହେଲାରୁ ପିଲା ମୂର୍ଚ୍ଚ l ଦେଖା ଦେଲା

ମୂର୍ଚ୍ଚ l ପରେ ଜରଏବେ ପିଲାପ୍ରାଣ ନେଲା l

ଦଶଦିନ ହେଲା ଆଜି ବଢୁଅଛି ଜର

ମାନୁନି ଓଷଦ, ଏବେ କି ଉପାୟ କର l

 

ଖାଅ ଏବେ ଧନେ ମୋର ନିଅ ତାର ପ୍ରାଣ ,

ତା ସାଥେ ମୋ ପ୍ରାଣ ମଧ୍ୟ କର ଯମେ ଦାନ l

ବେଲେଶ୍ୱର

କିପାଁ ଏତେ ଟାଣ କଥା କହ ସତେ ମତେ,

ଗୃହସ୍ଥର ଦୁଃଖ ,ସଖି, ବୁଝିବ କେମନ୍ତେ ?

ଧନ ଗଲେ ପୁରୀ ମୋର ହେବ ଅନ୍ଧକାର,

ଏ କଥା କି ମୁହିଁ ପ୍ରାଣେ କରିବନି ବିଚାର ?

 

ଭାବିଲେ ନୟନ ହୁଏ ଅନ୍ଧ ବାଷ୍ପଭାରେ,

କଣ୍ଠ ହୁଏ ଜଡ ,ମନ ବିଷମ ବିକାରେ

ଉତ୍କଣ୍ଠ ହୁଅଇ ସଖି ! କିନ୍ତୁ ଏ ସଂସାର

ବଡହିଁ ନିଷ୍ଠୁର ଜାଣ l କି ଯାଏ ଏହାର

 

ତୁମେ ଆମେ ଗୁରୁ ଶୋକେ କାନ୍ଦି କାନ୍ଦି ମଲେ,

କାନ୍ଦୁଥିଲେ ଆହା ବୋଲି କହିବନି ଥରେ !

ଅପବାଦ ,ପରିହାସ ଅଧିକାର ଫଳ,

ତାକୁ ଡରି ପୋଛିବାକୁ ହେବ ଆଖିଜଳ l

 

ପିଲା ନାମେଉଠେ ହୁରି ଗ୍ରାମେ ବାର ବାର,

ସୁଖ କିଲଲାଗନ୍ତା ସଖି ଧରି ସେ ଜଞ୍ଜାଳ ?

ବଚନ ମୁଁ ଦେଲି ତେଣୁ ଶ୍ୱଶୁରେ ତୁରିତେ,

ଜାଣି କି ଥିଲ ମୁଁ ସଖି ଫଳ ବପରୀତେ

 

ଘଟିବାର ଏହିପରି ? ପୁଣି ସେ ଝିଙ୍ଗାସ-

ସେଥିରେ କି ଥିଲା ମୋର ମନ୍ଦ ଅଭିଳାଷ ?

ମୁଦି କଥା ନେଇ ଗ୍ରାମେ ଲିଭି ନାହିଁ ଗୋଳ,

ଦୁଇ ଦିନ ପରେ ଗ୍ରାମେ ଆସିବ ଶ୍ୱଶୁର,

ଏଥିରେ ଘଟିଲା ଯଦି ପୁଣି ଅନା ଚାର-

ଲକ୍ଷ୍ମୀ

(ରୋଗଶଯ୍ୟାରୁ)

ବୋଉ ! ବୋଉ !

 

ପତ୍ନୀ

ନିଦ ଦେଖି ଭାଙ୍ଗିଲା ମାଆର !

ମହାପାନ୍ତ୍ର-ପତ୍ନୀ ଭିତରେ ଗଲେ ଓ ଶଯ୍ୟା ଉପରେ ବସିଲେ l

ବେଲେଶ୍ୱର ବିଷର୍ଣ୍ଣ ବଦନରେ ଘରଭିତରେ ଅନାଇ

ବାରଣ୍ଡାରେ ଠିଆହୋଇ ରହିଲେ l

ମହାପାତ୍ରୀ

ମାଆ ମୋର, ପ୍ରାଣ ମୋର, ଗଣ୍ଠି ସୁନା ମୋର, କେମନ୍ତେ ଲାଗୁଛି ଦେହ ?

ଲକ୍ଷ୍ମୀ

ହାତ ଆଣି ତୋର,

କପାଳରେ ଥୁଅ ବୋଉ !

ମହାପାତ୍ରୀ

(କପାଳରେ ହାତ ଦେଇ)

ଏ କି ଲୋ: ସଙ୍ଖାଳି,

ଦେହେ ତୋର ଫଟେ ଖଇ ! ମୋ ଧନରେ ସାରି

ଦେଲାଣି ଏ ଚୁଲି ଜର !

ଲକ୍ଷ୍ମୀ

ଶୋଷ, ବୋଉ, ଭାରି;

ପାଣି ଦିଅ l

ମହାପାତ୍ରୀ

ଜର ପରା ? ପିଇବୁ ସଙ୍ଖାଳି ?

ବୈଦ୍ୟ ଆସୁ, ଦେଖୁ ଦେହ–

ବାଲେଶ୍ୱର

ବୈଦ୍ୟ ଆସିଲେଣି–

ଲକ୍ଷ୍ମୀ

ବୋଉ, ବୋଉ, କହ ତା ଆସିବେନି ନ ମାଗିବି ପାଣି ପଛେ–

ବେଲେଶ୍ୱର

ମାଆ ମୋର ଓଷ

ଖାଇବାକୁ ଡରି, ହେଲେ ଖାଲି ‘ଶୋଷ’ ‘ଶୋଷ’

ଦେହ ଭଲ ହେବ କେହ୍ନେ ?

ବୈଦ୍ୟର ପ୍ରବେଶ, ମହାପାତ୍ର– ପଚୀ ଦ୍ୱାରରେ ଠିଆ ହେଲେ l

ବେଲେଶ୍ୱର

ଆସନ୍ତୁ ଏ ଘରେ;

ଦେଖନ୍ତୁ ଅବସ୍ଥା କିସ l ଓଷ ଆଉ ଥରେ

କହନ୍ତୁ କି ଦେବା ପୁଣି l

ବୈଦ୍ୟ ଗୃହରେ ପ୍ରବେଶ କରି ଲକ୍ଷ୍ଣୀର ନାଟିକା ଓ ଅନ୍ୟାନ୍ୟ ଅଙ୍ଗ ପରୀକ୍ଷା କଲେ l

ବୈଦ୍ୟ

ବଢିଲା ଯେ ଜର !–

ଚିନ୍ତା ତେବେ ନାହିଁ କିଛି– ଦେବି ଏଇ ଥର

‘ଜ୍ୱର– ଗଜ– ମୃଗରିପୁ’– ହୋଇବ ନିକାଶ

ଏକାଦିନେ ସବୁ ଦୋଷ l

ମହାପାତ୍ରୀ

(ଦୂରରେ ଥାଇ)

ପିଇବାରେ ଆଶ

ବଡିହିଁ ହେଉଛି–

ବୈଦ୍ୟ

କିଛି ନ ଶୁଣିବ ତାହା l

ବିନ୍ଦୁ ଜଳ ଦେଲେ, ତୁମେ ଦେଖ ତୁମ ରାହା l

ମହାପାତ୍ରୀ

ତିନି ଦିନ ହେଲେ ପେଟେ ଅନ୍ନ ନାହିଁ ପଡି l

ବୈଦ୍ୟ

ପାଚନାହିଁ ଦେବ କିଛି ଛାଡି ଦୁଇ ଘଡି l

ବୈଦ୍ୟ ବେଲେଶ୍ୱର ଦୁହେଁ ବାହାରକୁ ଚାଲିଗଲେ l ମହାପାତ୍ର–

ପନ୍ଥା ପୁଣି ଶଯ୍ୟା ନିକଟକୁ ଆସି ବସିଲେ l

ଲକ୍ଷ୍ମୀ

ନନା କାହିଁ ଗଲେ ବୋଉ ? ଗଲେଣି ବଇଦ ?

ମହାପାତ୍ରୀ

(ମୁଣ୍ଡ ସାଉଁଳି ସାଉଁଳି)

ହଁଅଁ ଲୋ ମା–

ଲକ୍ଷ୍ମୀ

ଶୁଣ ବୋଉ, ଏତେ ତ ପଇଡ

ଫଳିଛି ବାଡିରେ; ମତେ ଦିଅ ନା ଗୋଟିଏ

ପିଇ ପାଣି ଏକାଥରେ ଶୋଷ ମୋ ମିଟାଏ l

ବୈଦ୍ୟ ତ ଜାଣିବେ ନାହିଁ l

ମହାପାତ୍ରୀ

ଚୁପ୍ ବାଇଆଣି,

ମରିବାକୁ ଇଚ୍ଛା ତୋର ?

ଲକ୍ଷ୍ମୀ

ହଁଅଁ ଲୋ କେ ଜାଣି,

ମରିବାକୁ ଇଚ୍ଛା ହୁଏ–

ମହାପାତ୍ରୀ

(କାନ୍ଦ କାନ୍ଦ ହୋଇ)

ଆମକୁ ଅନାଥ

କରି, ତୋର ମରିବାକୁ ଇଚ୍ଛା ହୁଏ ଜାତ ?

ତୁଣ୍ଡରେ ନ ଆଣ ଧନ, ସେ କଥା ତୁ ଥରେ l

ଲକ୍ଷ୍ମୀ

ହଉ ଆଉ ନ କହିବି l କିନ୍ତୁ ବୈଦ୍ୟ ଡରେ

ପିଇବାକୁ ନ ଦେଲେ ତ ମରିବି ନିକର;

ଦିଅ ବୋଉ, କିଛି ମତେ l

ମହାପାତ୍ରୀ

ସେ ସବୁ ଫିକର

ରଖ୍ ଏବେ l ଦୁଇ ଘଡି ପରେ ତୁ ପାଚନ—

ଲକ୍ଷ୍ମୀ

ମଲି ତେବେ, ମଲି ବୋଉ–

ମହାପାତ୍ରୀ

କିପାଁ ଅକାରଣେ

ଆକୁଳ ହେଉଛୁ ଏତେ ? ତୁନି ହୋ ସଙ୍ଖାଳି,

କରୁଛୁଁ ଯା’ତାହା ସିନା ତୋ ଭଲ ବିଚାରି l

ଲକ୍ଷ୍ମୀ

(ଦ୍ୱାର ଆଡକୁ ଅନାଇ)

ତୁମେ କିପାଁ ଆସୁ ନାହିଁ ? ବୁଝି ହେ ଏମାନେ

ନ ପାରନ୍ତି ଇଚ୍ଛା ମୋର l କି ଯେ ଶୋଷ ପ୍ରାଣେ ନ ପାରନ୍ତି ବୁଝି ଏ ଗୋ–

 

 

ମହାପାତ୍ରୀ

ଡାକୁଛୁ କାହାରେ

ଧନ ମୋର ? ନନା ପରା ଗଲେଣି ବାହାରେ

କେତେ ବେଳୁଁ l

ଲକ୍ଷ୍ମୀ

ନାହିଁ ବୋଉ,କାରେ ଡାକୁ ନାହିଁ l

କିନ୍ତୁ ବୋଉ, ନିଦବେଳେ ଦେଖିବାର ପାଇଁ

ଆସିଥିଲେ କେହି ଏଥି ?

ମହାପାତ୍ର

କେହିଁ ନାହିଁ ଧନ !

ସହସା ଦେବତାର ଛାୟାମୂର୍ତ୍ତି ଦ୍ୱାରଦେଶରେ ଠିଆହେଲା; ଲକ୍ଷ୍ମୀର

ମୁଖରେ ହାସ୍ୟ ଦେଖା ଦେଲା l ଜନନୀଙ୍କର ଉପସ୍ଥିତି ଯୋଗୁ

ସେମାନେ କେବଳ ପରସ୍ପରକୁ ନୀରବରେ ଚାହିଁ ରହିବା

 

ଛଡା ଆଉ କିଛି କରି ପାରିଲେ ନାହିଁ l ଲକ୍ଷ୍ମୀକୁ

ବହୁକ୍ଷଣ ଚୁପ୍ ରହିବାର ଦେଖି ଲକ୍ଷ୍ମୀ– ଜନନୀ ନିଦ୍ରା

ଆସିବାର ଭାବି, ଶଯ୍ୟାରୁ ଉଠି ଠିଆ ହେଲେ l

ମହାପାତ୍ରୀ

ମାଆ ମୋର ଶୁଅ କ୍ଷଣେ, ରାନ୍ଧେଁ ମୁଁ ପାଚନ l

ଲକ୍ଷ୍ମୀ

ଆଚ୍ଛା ହେଉ l

ଲକ୍ଷ୍ମୀ– ଜନନୀ ବାହାରିଗଲେ l ଦେବତା ଶଯ୍ୟାରେ ବସି ଲକ୍ଷ୍ମୀର

କପାଳ ସ୍ପର୍ଶ କରିବାକୁ ଲାଗିଲେ l

ଲକ୍ଷ୍ମୀ

କିବା ଶାନ୍ତି, କିବା ଦେଲ ସୁଖ

ଆହା, ଛୁଇଁ ତପ୍ତ ଭାଲ l ଅଙ୍ଗୁଳିରେ ମୁଖ

ଆଉଁସ ହେ ଧୀରେ ବନ୍ଧୁ !

ଦେବତା

(ସେହିପରି କରି)

ଆହା ଲକ୍ଷ୍ମୀ– ରାଣି,

ଦିଅନ୍ତା l ଯଦି କେ ମତେ ସେବା– ଯୋଗ ଆଣି

ଚିରଦିନ ଏଇପରି l ଆନ– ପୂଜା ଠାରୁ

ସୁଖ ମତେ ବେଶି ମିଳେ ତୁମର ସେବାରୁ l

କେମନ୍ତେ ଲାଗୁଛି ଦେହ ?

ଲକ୍ଷ୍ମୀ

ତୁମେ ସିନା ଜାଣ ?

ଦେବତା

(ସମସ୍ତେ ଦେହ ଦେଖି ହସି ହସି)

ଲକ୍ଷ୍ମୀ– ରାଣି, ହେଲା ବେଳ, କରିବ ପ୍ରୟାଣ

ଏଥର ଶ୍ୱଶୁରାଳୟେ l

ଲକ୍ଷ୍ମୀ

ଜନନୀ ତୁମର

ଥାନ ଯଦି ଦେବେ ପଦେ, ତେବେ ହେ ମୋହର

ଆପତ୍ତି ତ କିଛି ନାହିଁ !

ଦେବତା

ମାନିବ ତ ମତେ ?

ଦିନମାନ ଖେଳିବ ତ ମୋହର ସଙ୍ଗତେ ?

ଲକ୍ଷ୍ମୀ

ରାଣ ମୋର, ଏତେ ସ୍ନେହେ ଲାଗେ ମତେ ଲାଜ !

ଦେବତା

(ହଠାତ୍ ଦୁଆର ଆଡକୁ ଅନାଇ)

ଆସିଲେଣି ଲକ୍ଷ୍ମି, ତବ ସଙ୍ଗିନୀ– ସମାଜ;

ଯାଏଁ ମୁହିଁ–

(ଠିଆ ହୋଇ)

ବେଳେ ଆସି ଉଭା ହେବ ରଥ,

ଯିବ ତହିଁ, କିନ୍ନରୀଏ ଡାକିନେବେ ପଥ l

ଯାଏଁ ଏବେ l

ଲକ୍ଷ୍ମୀ

ନିଅ ମତେ ତୁରିତେ ହେ ହରି,

ଏମାନଙ୍କ ସାଥେ ବନ୍ଧୁ, ନାହିଁ ପାରେ ଚଳି l

ଦେବତା ଚାଲିଗଲେ l ସେତେବେଳକୁ ଅନ୍ଧକାର ହୋଇ

ଆସିଥିଲେ l ଲକ୍ଷ୍ମୀର ଚାରିଟି ସଖୀ ସେଇ ଅନ୍ଧକାର

ଗୃହରେ ପ୍ରବେଶ କଲେ l

ପଦ୍ମା

ଅନ୍ଧାର ଯେ !

 

ଜେମା

ଦୀପ କାହିଁ ?

ଫୁଲ

ସେଇ କୋଣେ ଥିବ l

ନେତ

ଖୋଜ୍ ପଦ୍ମା !

ପଦ୍ମା

ଖୋଜ୍ ଫୁଲ !

ଜେମା

ଅନ୍ଧାରେ ଦିଶିବ ?

ଫୁଲ

ପାଇଲିଣି l

 

ନେତ

ଝିକିମିକି ରଖିଛ ଲୋ କିଏ ?

ପଦ୍ମା

ମୁଁ ରଖିଛି l

ଜେମା

ମୋ ହାତରୁ ଏଇ ଶୋଲ ନିଏ l

ସୋମାନୋ ଦୀପ ଲଗାଇଲେ l ଦୀପର କ୍ଷୀଣାଲୋକରେ କ୍ଷୁଦ୍ର

ଗୃହଟି ଆଲୋକିତ ହୋଇ ଉଠିଲା l ସୋମାନେ ସମସ୍ତେ

ଲକ୍ଷ୍ମୀର ଶଯ୍ୟା ଚାରିଆଡେ ଘେରିଗଲେ l

ଜେମା

ଲକ୍ଷ୍ମୀ ନାନି,

ଫୁଲ

ଶୋଇଛି କି ?

 

ନେତ

ଶୁଣୁ ନାହିଁ କଥା ?

ପଦ୍ମା

ହାତ ମାରେଁ,

ଜେମା

ଦେଖଁ ଦେହ,

ଫୁଲ

ଛୁଏଁ ଦେଖି ମଥା l

ନେତ

ପାଦ ଦେଖେଁ– କି ଶୀତଳ !

ପଦ୍ମା

ଥଣ୍ଡା କଡ ହାତ !

 

ଜେମା

ଦେହ ସାରା ବହେ ପାଣି,

ଫୁଲ

ସେଇପର ମାଥ !

ସମସ୍ତେ କ୍ଷଣକ ପାଇଁ ପରସ୍ପର ଆଡକୁ ଚାହିଁଲେ l

ଲକ୍ଷ୍ମୀ

(ତନ୍ଦ୍ରାରୁ ଉଠି)

ବୋଉ, ବୋଉ !

ପଦ୍ମା

ନାହିଁ ବୋଉ,

ଜେମା

ରାନ୍ଧୁଛି ପାଚନ l

ଫୁଲ

ଲକ୍ଷ୍ମୀ ନାନି, କହିବୁ ନି ଆମକୁ ବଚନ ?

ଲକ୍ଷ୍ମୀ

(କ୍ଷୀଣ ସ୍ୱରରେ)

ଯାଉଛି ଲୋ– ମନେ ରଖ– ବୋଉ କାହିଁ ଡାକ l

ପଦ୍ମା

(ଉଚ୍ଚ ସ୍ୱରରେ)

ଏ ମାଉସି–

ଜେମା

(ଉଚ୍ଚ ସ୍ୱରରେ)

ବଡ ମାଇଁ–

ଫୁଲ

ଯାଅ ଜଣେ ପାଖ l

ନେତ ଦ୍ରୁତ ଗତିରେ ବାହାରକୁ ଗଲେ l କିଛି କ୍ଷଣ ପରେ

ଲକ୍ଷ୍ନୀ– ଜନନୀ ବ୍ୟସ୍ତ ହୋଇ ଘରେ ପଶି ଏକାବେଳକେ

ଲକ୍ଷ୍ମୀକି କୁଣ୍ଡାଇ ଧରିଲେ l

 

 

ମହାପାତ୍ରୀ

(କ୍ରନ୍ଦନ ସ୍ୱରରେ)

ଦେହୁ ବହେ ପାଣି ଧାର !

ଏ କି ଦେଖି ଧନ !

ଲକ୍ଷ୍ମୀ

ବୋଉ ମୋ’ର, ଗଲି ମୁହିଁ– ରଖୁଥିବୁ ମନ l

ମହାପାତ୍ରୀ

ମନ ମୋର ପୋଡିଯାଉ– ଚଣ୍ଡାଳୁଣୀ ପିଲା

କି କଥା କହୁ ଲୋ ତୁହି !

ପଦ୍ମା

(ହଠାତ୍ ବାହାରକୁ ଅନାଇ)

ଏ କିସ ଦିଶିଲା ?

ଜେମା

ଆଲୋକର ରଥ ଏକ l

ଫୁଲ

(ଲକ୍ଷ୍ମୀର ମୁଣ୍ଡ ଆଡକୁ ଅନାଇ)

ମୂର୍ତ୍ତି ସେ କାହାର ?

ଲକ୍ଷ୍ମୀ

(ଶେଷ ନିଶ୍ୱାସ ସହ)

ଗଲି ବୋଉ, ମୋହ ସଙ୍ଗେ ସାରି ତୋ ଜଞ୍ଜାଳ l

ଲକ୍ଷ୍ମୀ– ଜନନୀ ମୁର୍ଚ୍ଛିତା ହୋଇ ଶବ ଉପରେ ପଡି ରହିଲେ l

ସଖୀମାନେ ସ୍ତବଧ୍ ହୋଇ ଠିଆ ହୋଇ ରହିଲେ l ଏଇ

ସମୟରେ ବୈଦ୍ୟ, ବେଲେଶ୍ୱର ଓ ଲକ୍ଷ୍ମୀର ଶ୍ୱଶୁର ଆସି ଦ୍ୱାରେ–

ଦେଶରେ ଚକିତଭାବରେ ଠିଆ ହେଲେ…

 

ମନ୍ଦିରରେ ସାକ୍ଷିଗୋପାଳ ମୂର୍ତ୍ତି– ପୀଠ lସାକ୍ଷିଗୋପାଳଙ୍କ

ପାର୍ଶ୍ୱରେ ନବପ୍ରତିଷ୍ଠିତା ରାଧାପ୍ରତିମା l କୁମାରୀ ଦେବଦାସି–

ମାନଙ୍କର କଥୋପକଥନ, ଗାନ ଓ ନୃତ୍ୟ l

ପ୍ରଥମ କୁମାରୀ

ତା’ରି ମୁଖ ପରି ସଖି, ଦିଶେ ଅବିକଳ,

ଦ୍ୱିତୀୟା

ତା’ରି କଣ୍ଠ, ତା’ରି ନେତ୍ର– ଯୁଗ ଢଳଢ଼ଳ l

ତୃତୀୟା

ତପୋବନ୍ତୀ କନ୍ୟା ସତେ– କି ତପସ୍ୟା ବଳେ

ଲଭିଲା ଆସନ ଏଇ ପୁଣ୍ୟ– ପୀଠ ପରେ

ଚତୁର୍ଥା

ପ୍ରେମ ତ ତପସ୍ୟା ତାର– ମନ୍ତ୍ର,ଆରାଧନା,

ତା’ଘେନି ସେ ଦେବତାକୁ କଲା ବନ୍ଦାପନା l

ପ୍ରଥମା

ମନ୍ଦିରେ ତ ନିତ୍ୟ ଆମେ ନୃତ୍ୟ କରୁଥାଇଁ,

କା’ ପ୍ରାଣେ ଭକତି ଥାଏ ଦେବତାର ପାଇଁ ?

ଦ୍ୱିତୀୟା

ବାଦ୍ୟତାନେ ପଦ୍ୟ ଡେ, କର ଦୋଳୁଥାଏ,

ଏ ପୋଡା ଚିତ୍ତଲୋ ସଖି, କାହିଁ ଚାଲିଯାଏ !

ତୃତୀୟା

ପ୍ରେମ ପୁଣି କରେ ଏହା ! ପଥର ମୂରତି !

ଜୀବ ଧରି, ଜୀବ ସାଥେ କରଇ ପୀରତି !

ଚତୁର୍ଥା

ଆସ ଏବେ ଗୁଣ ତା’ର ଗାଇ ଲୋ ସଜନି,

ଦେବତାରେ ତୋଷୁଁ ହେଲେ ଆଜିକ ରଜନୀ l

ପ୍ରଥମା

ତୋଳି ଧର ଫୁଲମାଳା, ଜଣ ଜଣ କରି

ଭଉଣୀର କଣ୍ଠେ ଦେବା ନୃତ୍ୟ କରି କରି l

[ସମବେତ ନୃତ୍ୟ– ମଣିପୁରୀ]

ଗାନ ଓ ନୃତ୍ୟ

ପ୍ରଥମା

ତା’ ପଦଧୁଳି ଲାଗି ପାବନ ପଥ ଏଇ ଗାଆଁର,

ଦ୍ୱିତୀୟା

ସୁରଭି ଛୁରିଅନା, ନିଶୀଥ ଅଭିସାରେ ତାହାର l

ତୃତୀୟା

ସୁରଭି ନିଶ୍ୱାସେ କେତେ ସେ ଫୁଟାଇଛି ବକୁଳ,

ଚତୁର୍ଥା

ଚରଣ– ପରଶରେ କେତେ ସେ ଘାସେ କଲା ଆକୁଳ l

ପ୍ରଥମା

ନଈକି ଯାଇ କି ସେ ପାବନ କଲା ନଈତୋଠରେ,

ଦ୍ୱିତୀୟା

କମଳେ ଲାଜ କେତେ ଥର ସେ ଦେଲା ତା’ର ଓଠରେ l

ତୃତୀୟା

କନକ– ପ୍ରତିମା ତା’, ତୋଷିଲା କେତେ ଜନନୟନ,

ଚତୁର୍ଥା

ବାଳିକା– ବୟସେ ସେ ପ୍ରୀତି– କୁସୁମ କଲା ଚୟନ l

ପ୍ରଥମା

ପ୍ରଣୟେ ଜିଣିଲା ସେ ମରଣେ

ଦ୍ୱିତୀୟା

ପ୍ରଣତ ଦିଅ ତା’ର ଚରଣେ l

ତୃତୀୟା

ଯେ ପୀଠେ ପୂଜାରିଣୀ ଥିଲା ସେ

ଚତୁର୍ଥା

ରହିଲା ତହିଁ ପୂଜା ବିଳାସେ !

ପ୍ରଥମା

ଜନକ– ଜନନୀ ତ ସୁଭଗ,

ଦ୍ୱିତୀୟା

ମାଟି– କୁଟୀର ହେଲା ସରଗ l

ତୃତୀୟା

ଦେବୀ– ଦେବତା ଏଇପରି କି

ଚତୁର୍ଥା

ହୁଅନ୍ତି ଜାତ ଦେହ ଧରିକି !

ପ୍ରଥମା

ମାଳା ତାହାରେ ଦେବା ଆସ ଲୋ,

ଦ୍ୱିତୀୟା

ଦେହେ ବୋଳିବା ଚନ୍ନ ବାସ ଲୋ !

ତୃତୀୟା

ନାଟକୁ ଦିଅ ତାଳ ବାୟକ,

 

ଚତୁର୍ଥା

ସେବିକା ଲକ୍ଷ୍ମୀ, ତା’– ନାୟକ

[ସମବେତ ନୃତ୍ୟ– ମଣିପିରୀ]

ଗାନ

ପ୍ରଥମା

[ଗାନ, ନୃତ୍ୟ ଓ ମାଳାଅର୍ପଣ]

ମୁରଲୀ ଯୁଗେ ଯୁଗେ ବଜାଇ

ତୁମେ ନା ପ୍ରଭୁ ତବ ଅସୀମ– ପ୍ରୀତି– ରସେ

ସସୀମ ପ୍ରାଣ ଦିଅ ମଜାଇ ?

 

ପରାଣେ ଶୁଣି ଡାକ ତୁମର

ହୃଦୟେ ଫୁଟେ ଶୁଭ କମଳ

ଚେତନା ଦିଏ ସେ ଯେ ହଜାଇ

ମୁରଲୀ ଯୁଗେ ଯୁଗେ ବଜାଇ l (ଧୁବ)

ଦ୍ୱିତୀୟା

(ଗାନ, ନୃତ୍ୟ ଓ ମାଳାଅର୍ପଣ)

କିପାଇଁ ତୁମେ ବେଣୁ ବଜାଅ

ଶୂନ୍ୟ ଲାଭେ ପ୍ରାଣେ ଖୋଜାଅ ?

ପିୟାସ ଦିଅ ପ୍ରାଣେ ତେଜାଇ

ମୁରଲୀ ଯୁଗେ ଯୁଗେ ବଜାଇ l (ଧୁବ)

ତୃତୀୟା

(ଗାନ, ନୃତ୍ୟ ଓ ମାଳାର୍ପଣ)

ସେ ବେଣୁ ସୃଷ୍ଟିର ନୀତିରେ

ଭୁବନ ବିକଶିତ ପ୍ରୀତିରେ;

ପ୍ରାଣେ ସେ ରସେ ଯାଏ ରଁଜାଇ

ମୁରଲୀ ଯୁଗେ ଯୁଗେ ବଜାଇ l (ଧ୍ରୁବ)

ଚତୁର୍ଥା

(ଗାନ, ନୃତ୍ୟ ଓ ମାଳାର୍ପଣ)

ସେ ବେଣୁ ଶୁଣି ଆମ ଭଗନୀ

ରସେ ହୋଇଲା ଅନୁରାଗିଣୀ;

ଅମର ହେଲା ଏଇ            ଅମରେ ପୀଠେ ରହି

 

ପ୍ରଣୟ ଲାଗି ସବୁ ହଜାଇ

ମୁରଲୀ ଯୁଗେ ଯୁଗେ ବଜାଇ l (ଧ୍ରୁବ)

(ଧୀରେ ଧୀରେ ସମସ୍ତଙ୍କର ପ୍ରସ୍ଥାନ)

(ଲକ୍ଷ୍ମୀ ଓ ଦେବତାର ଯୁଗ୍ମସଙ୍ଗୀତ ଓ ନୃତ୍ୟ l

ଗାନର ରାଗ ମିଶ୍ରଭୀମପଳଶ୍ରୀ, ନୃତ୍ୟ ଭାରତନାଟ୍ୟଂ)

ଦେବତା

ନିରୋଳ ରଜନୀ ହେଲା ରେ ସଜନି,

ମରମ ମିଳାଅ ଅନୁରାଗିଣି,

ପ୍ରଣୟ କ୍ଷୁଧା ମୋ’ ନୁହେ ଶାନ୍ତି

ଆନନ୍ଦ ଦିଅ ପ୍ରାଣତୋଷିଣି !

ଲକ୍ଷ୍ମୀ

ଯାଚି ମୋ ପ୍ରଣୟ ଦିଅ ଗୋ ସରମ

ଏକାନ୍ତ ତବ,

ମୁହି, ଯେ ପରମ,

ଛୋଟ ମୁଁ ଯେ ରେଣୁ ପଦ ପ୍ରାନ୍ତେ

କି ସୁଧା ଦେବ ମୋ ଦୀନ ମରମ !

ଦେବତା

ଛୋଟରେ ଗୋ ବନ୍ଧା ମୋ ପୀରତି

ଦୀନ ପାଇଁ ବକ୍ଷେ ମୋ ଆରତି;

ସଖି; ହୃଦୟ ତୋ ଅକଳୁଷ କମଳ

ତେଣୁ ମୋହନ ତୋ ମର୍ମର ଭାରତୀ l

ଉଭୟେ

ଏକ ଆମେ,

ଏକ ଆମେ,

ଭୋଗ ପାଇଁ ହୋଇଅଛୁଁ ଯୁଗ୍ମ

ଲୀଳାର ସୃଜନ– ସରେ ସୂର୍ଯ୍ୟ ଓ ପଦ୍ମ

ବନ୍ଧୁ ହେ, ଯୁଗ ଯୁଗ ଯୁଗଳ ରୂପେ

ଗଢୁଥିବା ପୀରତିର ସଦ୍ମ l

 

(ପଟ ପତନ)